ବିପଦଶଙ୍କୁଳ ଅବସ୍ଥାରେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତା

ଯାଜପୁର ରୋଡ : ରାସ୍ତା ନୁହେଁ ତ ମରଣଯନ୍ତା । ପାଦେ ପାଦେ ଭୟ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ଏ କୌଣସି ଉପାନ୍ତ ଇଲାକା ନୁହେଁ, ଖୋଦ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତାର ଦୃଶ୍ୟ । ଯାଜପୁର ରୋଡ଼ ନୂଆଗଡ଼ ଠାରୁ ମିଲିଟାରୀ ଛକ ଦେଇ ଡ଼ୁବୁରୀ ପର୍ଯ୍ୟନ୍ତ ୧୫ କି.ମି ଲମ୍ବିଛି ଏହି ରାସ୍ତା । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରକୁ ଚଳାଚଳ କରୁଛି । ହେଲେ ମରାମତି ଅଭାବରୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଗାତ ସୃଷ୍ଟି ହୋଇଛି । ଖାଲରେ ପାଣି ଜମି ରହୁଥିବାରୁ ଯାତ୍ରୀ ଓ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ସମୟରେ ଲୋକଙ୍କ ଜୀବନ ହାନୀ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ବର୍ଷା ଦିନେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ରାସ୍ତାର ମାନପୁର ନିକଟରେ ଏକ ରେଲୱେ ଓଭରବ୍ରିଜ ରହିଛି । ଏହି ବ୍ରିଜ ଉପରେ ମଧ୍ୟ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଦୀର୍ଘ ଦିନରୁ ଏପରି ସମସ୍ୟା ଦେଖାଯାଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।