ଟ୍ରକକୁ ଧକା ଦେଲା ଆଇଚର୍, ୭ ଜଣଙ୍କର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ବରୁ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଇଚର୍ । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । 16 ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଗତକାଲି ଦୁଇଟି ଟ୍ରକ ଧକ୍କା ହୋଇ ଜଳି ଯାଇଥିଲା । ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା । ଆଜି ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା ।

କୁହୁଡ଼ି କାରଣରୁ ରାସ୍ତା ଦେଖାନଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଆଇଚରରେ ମୋଟ ୭ଜଣ ଥିବାବେଳେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭିଂ ଲାଇସେନ୍ସରୁ ଜଣେ ମୃତକଙ୍କ ପରିଚୟ ମିଳିପାରିଛି । ମୃତକ ହେଲେ ସୁରଜ ମଣ୍ଡଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକମାନେ ରାସ୍ତା ଅବରୋଧ କରିଥିଲେ । ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟଥିଲା ।