ଦିନେ ମାଲିକଙ୍କ ପ୍ରିୟ ପାଲଟିଥିଲା, ଏବେ ସ୍ବାର୍ଥ ସରିଯିବା ପରେ ଅଲୋଡ଼ା

ଯାଜପୁର: ସରିଗଲା ସ୍ବାର୍ଥ, ହଜିଗଲା ମାନବିକତା। ମଣିଷ ଭୁଲିଗଲା ମଣିଷ ପଣିଆ। ସାରା ଜୀବନ ଟଙ୍କା ରୋଜଗାର କରି ମାଲିକର ପେଟ ପୋଷୁଥିଲା । ହେଲେ ଏବେ ସେ ବୃଦ୍ଧ ବୟସରେ ଓଟକୁ ପର କରି ରାସ୍ତା କଡରେ ଛାଡ଼ି ଚାଲିଗଲା । ଏବେ ରୋଗିଣା ଓଟ ଟି ତାର ମାଲିକକୁ ଝୁରିଝୁରି ଖାଦ୍ୟପେୟ ଛାଡିଦେଇଛି। ଏହି ଘଟଣା ଏବେ ଅନେକଙ୍କୁ ମର୍ମାହତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦିନେ ମାଲିକଙ୍କ ପ୍ରିୟ ପାଲଟିଥିଲା । ଖରା ବର୍ଷାରେ ପରିବାରର ବୋଝ ବୋହୁଥିଲା । ତା ରୋଜଗାରରେ ଗୁଜୁରାଣ ମେଣ୍ଟୁଥିଲା । କିନ୍ତୁ ଆଜି ସେ ବୃଦ୍ଧ ହୋଇଯିବାରୁ ତାକୁ ପରକରି ଚାଲିଗଲା ମାଲିକ । ରାସ୍ତାରେ ରହିଗଲା ବିଶ୍ବାସ ଭରସା । ଏବେ ନିଜ ଭାଗ୍ୟକୁ ନିନ୍ଦି, ନିଜ କଷ୍ଟକୁ ଆଦରି ରାସ୍ତା କଡ଼ରେ ପଡି ରହିଛି ଓଟ। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଓଟଟିକୁ ଛାଡି ଯାଇଛି ମାଲିକ । ଏବେ ବି ସେ ମାଲିକୁ ଝୁରୁଛି । ତା’ର ଛଳ ଛଳ ଆଖି କୁ ଦେଖିଲେ ସବୁକିଛି ଯେପରି ବାରି ହୋଇଯାଉଛି । ବର୍ଷ ବର୍ଷ ଧରି ନିଜ ପିଠିରେ ମାଲିକର ବୋଝ ବୋହି ବୋହି ଓଟ ଟିର ପିଠିରେ ସୃଷ୍ଟି ହୋଇଛି ଏକ ବିରାଟ କ୍ଷତଚିହ୍ନ। ଏହାସହ ବୁଢା ହୋଇଯାଇଥିବାରୁ ଓଟଟି ଠିକ୍ ଭାବରେ ଚଲାବୁଲା ମଧ୍ୟ କରିପାରୁନାହିଁ।

ଓଟ ଟିର ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର କିଛି ସହୃଦୟ ଯୁବକ ମାଲିକକୁ ଖୋଜା ଖୋଜି କରିବା ସତ୍ତ୍ୱେ ତାର ପତ୍ତା ମିଳୁନି । ଶେଷରେ ଓଟ ପାଇଁ ଖାଦ୍ୟ ଯୋଗାଡ଼ କରିଥିଲେ। ହେଲେ ଓଟ ଟି ତାର ମାଲିକକୁ ଝୁରୁଥିବା ବେଳେ କିଛି ନଖାଇ ନପିଇ ସେମିତି ଶୋଇ ରହିଛି । ସ୍ଥାନୀୟ ପ୍ରଶାସନ ତଥା ବନ ବିଭାଗ ଏହି ଓଟ ଟିକୁ ନିଜ ହେପାଜତକୁ ନେଇ ଚିକିତ୍ସା କରାଇବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟବାସୀ । ନିରିହ ଏହି ଓଟ ଟିକୁ ଦେଖିଲେ ଲାଗୁଛି, ଆଜିର ଦୁନିଆରେ ମଣିଷତ୍ବ ବା ମଣିଷ ପଣିଆ ହଜିଯାଇଛି। ସାରା ଜୀବନ ମାଲିକର ସେବା କରି ଆଜି ନିଜ ପାଇଁ ସାହାରା ଖୋଜୁଛି ବୃଦ୍ଧ ଅସୁସ୍ଥ ଓଟ ।