ନବ ବିବାହିତ ଦମ୍ପତିଙ୍କ ନିଆରା ପ୍ରୟାସ: ଭୋଜି ଅର୍ଥରେ କରୋନା ଯୋଦ୍ଧାଙ୍କୁ ବାଣ୍ଟିଲେ ମାସ୍କ ଓ ସାନିଟାଇଜର

1 min read

ଯାଜପୁର: ନବ ବିବାହିତ ଦମ୍ପତିଙ୍କ ନିଆରା ପ୍ରୟାସ। ଭିନ୍ନକ୍ଷମ ଓ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ବିବାହ ଭୋଜି। ବିବାହ ଭୋଜି ବାତିଲ କରି ସେହି ଟଙ୍କାରେ ଭିନ୍ନକ୍ଷମ ଓ କରୋନା ଯୋଦ୍ଧା ପୋଲିସଙ୍କୁ ଯୋଗାଇ ଦେଲେ ଖାଦ୍ୟ ସାମଗ୍ରୀ ସହିତ ମାସ୍କ ଓ ସାନିଟାଇଜର୍ । ଏଥିପାଇଁ ନବ ଦମ୍ପତିଙ୍କ ନିକଟକୁ ଏବେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି।

ମହାମାରୀ କରୋନାର ବିଭୀଷିକା ସମୟରେ ସବୁଆଡେ ହାହାକାର ପଡ଼ିଥିବା ବେଳେ ଏକ ନବ ଦମ୍ପତିଙ୍କ ନିଆରା ପ୍ରୟାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନବ ଦମ୍ପତି ସେମାନଙ୍କ ବିବାହ ଭୋଜି ବାତିଲ କରି ସେହି ଟଙ୍କାରେ ଭିନ୍ନକ୍ଷମ ଓ କରୋନା ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ସହିତ ମାସ୍କ ଓ ସାନିଟାଇଜର୍ ଯୋଗାଇ ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ।

ଦାନଗଦି ବ୍ଲକ ମନୋହରପୁର ଗ୍ରାମର ପିତାମ୍ବର ରାଉତଙ୍କ ପୁଅ ବିଭୁତି ଭୂଷଣ ରାଉତ ମହାମାରୀ କରୋନା ଯୋଗୁଁ ବିବାହ ଭୋଜି ବାତିଲ କରିଥିଲେ । ଏହା ବଦଳରେ ଏହି ଅର୍ଥରେ ଅସହାୟ ଲୋକ ଓ କରୋନା ଯୋଦ୍ଧାମାନଙ୍କ ପାଇଁ କିଛି କରିବାକୁ ସେ ଚିନ୍ତା କରିଥିଲେ। ଏହି ଅବସରରେ ଆଜି ଏହି ନବ ଦମ୍ପତି ପ୍ରଥମେ ବ୍ୟାସନଗର ସହରର କହ୍ନେଇପୁର ସ୍ଥିତ ଶାନ୍ତି ନିବାସରେ ପହଞ୍ଚିଥିଲେ। ସେଠାରେ ରହୁଥିବା ୪୦ ରୁ ଉର୍ଦ୍ଧ୍ବ ମାନସିକ ଓ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗୋଟିଏ ଦିନର ରନ୍ଧା ଖାଦ୍ୟ ଦେଇଥିଲେ। ଏଥିସହିତ ଚାଉଳ ଡାଲି ଓ ବିସ୍କୁଟ ଆଦି ଏକ ମାସର ରାସନ୍ ସାମଗ୍ରୀ ସହ ଦେହଲଗା ସାବୁନ୍, ମାସ୍କ ଓ ସାନିଟାଇଜର୍ ଆଦି ପ୍ରଦାନ କରିଥିଲେ। ଅନ୍ତେବାସୀ ଙ୍କ ସହ ନବ ଦମ୍ପତି ଏଠାରେ କିଛି ସମୟ ଅତିବାହିତ ମଧ୍ୟ କରିଥିଲେ। ତେବେ ସହଯୋଗ ପାଇ ଶାନ୍ତି ନିବାସ କର୍ତ୍ତୃପକ୍ଷ ନିଜର ଖୁସି ବ୍ୟକ୍ତ କରିବା ସହ ନବ ଦମ୍ପତିଙ୍କୁ ସାଧୁବାଦ ଜଣାଇଛନ୍ତି।

ପରେ ଏହି ନବ ଦମ୍ପତି ଯଖପୁରା ଥାନାରେ ପହଞ୍ଚି କରୋନା ଯୋଦ୍ଧା ପୋଲିସ କର୍ମଚାରୀମାନଙ୍କ ପାଇଁ ଉନ୍ନତମାନର N-95 ମାସ୍କ, ସାନିଟାଇଜର୍, ଥଣ୍ଡା ପାନୀୟ ଓ ପାଣି ବୋଟେଲ ଆଦି ପ୍ରଦାନ କରିଥିଲେ। ଯଖପୁରା ଥାନା ଅଧିକାରୀ ଲକ୍ଷଣ ଦଣ୍ଡସେନା ଏହାକୁ ଗ୍ରହଣ କରିବା ସହ ନବ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ ଏହି ନବ ଦମ୍ପତି ବିଭିନ୍ନ ଛକ ବଜାରକୁ ଯାଇ ସେଠାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କୁ N-95 ମାସ୍କ ସହିତ ସାନିଟାଇଜର୍, ଥଣ୍ଡା ପାନୀୟ ଓ ପାଣି ବୋଟେଲ ଆଦି ପ୍ରଦାନ କରିଥିଲେ। ତେବେ ଅସହାୟ ଲୋକ ଓ କରୋନା ଯୋଦ୍ଧା ମାନଙ୍କୁ ସହାୟତା ପ୍ରଦାନ କରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏହି ନବ ଦମ୍ପତି। ମହାମାରୀ କରୋନାର ଏହି ଜଟିଳ ସମୟରେ ନବ ଦମ୍ପତିଙ୍କ ଏଭଳି ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହା ସମାଜ ପାଇଁ ଉଦାହରଣ ପାଲଟିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।

Leave a Reply