ଗର୍ଭବତୀ ନାବାଳିକା ଝିଅକୁ ପୋଡ଼ି ହତ୍ୟା ଘଟଣା, ବାପାମାଆଙ୍କୁ ଆଜୀବନ ଜେଲ୍ ଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକା ଝିଅଙ୍କୁ ପୋଡ଼ି ହତ୍ୟା ଘଟଣା । ବାପାମାଆଙ୍କୁ ଆଜୀବନ କାରା ଦଣ୍ଡାଦେଶ । ୩୦ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ରାୟ ଶୁଣାଇଲେ ଯାଜପୁର ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ଆଜୀବନ କାରା ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟରେ ୬ ମାସ ଅଧିକ କାରା ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଡହକ ପୋକ୍ସୋ ବିଚାରପତି ବିଜୟ କୁମାର ଜେନା ।
୨୦୧୬ ମସିହାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳର ୧୫ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ନିଜ ଘର ପଛ ପଟେ ପୋଡ଼ି ଦେଇଥିଲେ ନିଜର ଜନ୍ମ କଲା ବାପାମାଆ । ଏଥିସହ ପ୍ରମାଣ ନଷ୍ଟ କରିବାକୁ ପାଉଁଶକୁ ନିକଟସ୍ଥ ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ । ନାବାଳିକା ଝିଅକୁ ବାଡ଼ାଉଥିବା ସମୟରେ ସେହି ରାସ୍ତାରେ ଯାଉଥିବା ମାତାଜି ଜେନା ନାମକ ଜଣେ ମହିଳା ଝିଅର ଚିତ୍କାରକୁ ଶୁଣିଥିଲା । ମାତାଜି ପର ଦିନ ଘରେ ଝିଅକୁ ନ ପାଇବାରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖରସ୍ରୋତା ନଦୀରୁ ଏକ ଅଖା ଭିତରକୁ କିଛି ପୋଡ଼ା ହାଡ଼ ଓ ପାଉଁଶ ଜବତ କରି ବାପା ନକୁଳ ଜେନା ଓ ମାଆ ସଞ୍ଜୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଛନ୍ତି । ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।