ବେଡ୍ ମିଳୁନି, ଚଟାଣରେ ରୋଗୀ; ସାଂଘାତିକ ରୂପ ନେଲାଣି ଯାଜପୁର ଝାଡ଼ାବାନ୍ତି

1 min read

ନନ୍ଦିଘୋଷ ବ୍ୟୁରୋ : ବର୍ଷ ପୂର୍ତ୍ତି ଉତ୍ସବରେ ମାତିଛନ୍ତି ସରକାର । ସେପଟେ ତିନି ଦିନ ହେଲା ଯାଜପୁରରେ ଝାଡାବାନ୍ତି କଲାଣି ଆକ୍ତାମାକ୍ତା । ସରକାର ସ୍ଥିତି ନିୟନ୍ତ୍ରଣରେ ଥିବା କହି ଘଟଣାର ଗୁରୁତ୍ବକୁ ଚାପିବାରେ ଲାଗିଛନ୍ତି । ଯାଜପୁର ଜିଲ୍ଲାରେ ଗତ ୩ ଦିନ ଧରି ଝାଡାବାନ୍ତି ଆତଙ୍କ ଲାଗିରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ, ଯୁବକ, ମହିଳା ଓ ବୟସ୍କ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୩ ଦିନରେ ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଏବଂ ସୁକିନ୍ଦା ଆଦି ୬ଟି ବ୍ଲକରେ ଝାଡାବାନ୍ତିରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ସରକାରୀ ଭାବେ ୪ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଜିଲ୍ଲା ପ୍ରଶାସନ କହୁଛି ।

ମିଳିଥିବା ସୁଚନା ଅନୁଯାୟୀ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା, ଦାନଗଦି ବ୍ଲକର ସୁଦର୍ଶନ ପାତ୍ର, ବସନ୍ତ ପାତ୍ର ଓ ସନନ୍ତ ପାତ୍ରଙ୍କ ସମେତ ତିଳୋପଦା ଗାଁର ବରଞ୍ଚି ମଲ୍ଲିକ ସମିଆଁ ଗାଁର ମଦନ ମୋହନ ନାୟକ, ଯାଜପୁର ବ୍ଲକର ପବିତ୍ରା ଦାସ ଏବଂ ଦଶରଥପୁର ବ୍ଲକର ସବିତା ମଲ୍ଲିକଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି କିନ୍ତୁ ପ୍ରଶାସନ ଏଯାଏଁ ମୃତକଙ୍କ ସମ୍ପର୍କରେ କିଛି ସ୍ପଷ୍ଟ କରୁନାହିଁ । ସେପଟେ ଏଭଳି ସଙ୍ଗୀନ ସ୍ଥିତିରେ ବି ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ମିଳୁଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ ଓ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଏବେ ବି ଜିଲ୍ଲାର ବିଭିନ୍ନ ମେଡିକାଲରେ ପାଖାପାଖି ୩୦୦ ଲୋକ ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୫୦ଜଣଙ୍କୁ କଟକ ରେଫର କରାଯାଇଛି । ରୋଗୀ ସଂଖ୍ୟା ଏତେ ମାତ୍ରାରେ ବଢ଼ିଛି ଯେ ମେଡ଼ିକାଲ ଗୁଡିକରେ ଆକ୍ରାନ୍ତ ମାନଙ୍କୁ ଆବଶ୍ୟକ ମୁତାବକ ବେଡ ମିଳୁନି। ଚଟାଣରେ ପଡ଼ିରହି ଚିକିତ୍ସିତ ହେଉଛନ୍ତି ରୋଗୀ l