ମାଟୁତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଯାଜପୁର: ମାଟି ତଳୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପୁରୁଣାପାଣି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ଡିସେମ୍ବର ୭ ତାରିଖ ଦିନ ପୁରୁଣାପାଣି ଗାଁର ପ୍ରହଲ୍ଲାଦ ନାଏକ ଆମ୍ପୋଳବା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ପୋଲିସକୁ କିଛି ନ ଜଣାଇ  ପ୍ରହଲ୍ଲାଦର ମୃତଦେହ ନେଇ ନିଜ ଗାଁରେ ସତ୍କାର କରିଥିଲେ।

ତେବେ ପ୍ରହଲ୍ଲାଦଙ୍କ ମୃତ୍ୟୁ ପରେ ବୀମା ଟଙ୍କା ଓ ସରକାରୀ ସହୟତା ପାଇବାକୁ ହେଲେ ମୃତ ପ୍ରମାଣ ପତ୍ର ଆବଶ୍ୟକ ବୋଲି ପ୍ରହଲ୍ଲାଦଙ୍କ ପତ୍ନୀ ଗୀତା ନାୟକ ଜାଣିବାକୁ ପାଇଥିଲେ । ସହାୟତା ପାଇବାକୁ ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ ବୋଲି ପ୍ରହଲ୍ଲାଦଙ୍କ ସ୍ତ୍ରୀ ଜାଣିବା ପରେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଜଣାଇଥିଲେ । ଯାହାକୁ ଆଧାର କରି ପୋଲିସ ଗାଁରେ ପହଞ୍ଚି ମାଟି ତଳୁ ଶବକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟ ମିଳିପାରି ନାହିଁ ।