ଜୟପୁର ଗାଁରେ ହୃଦୟ ବିଦାରକ ଦୃଶ୍ୟ: ଏକାଠି ଜଳିଲା ଦମ୍ପତିଙ୍କ ଜୁଇ

1 min read

ଯାଜପୁର: ଯେବେ ପ୍ରାଣ ଚାଲିଯାଏ ସେତେବେଳେ କେମିତି ବଞ୍ଚିବ ପ୍ରାଣପ୍ରିୟା  । ଯେବେ ସାତଜନମର ସାଥି ଛାଡିଯାଏ ସେତେବେଳେ କେମିତି ବା ରହିପାରିବ ପତ୍ନୀ  । ସ୍ବାମୀର ଅସୁସ୍ଥତା ଖବର ଶୁଣି ମୁର୍ଚ୍ଛା ହେଇଗଲା ସ୍ତ୍ରୀ  । ପରେ  ଗୋଟିଏ ଡାକ୍ତରଖାନାରେ ଏକାଠି ପ୍ରାଣ ହରାଇଦେଲେ ପତ୍ନୀ-ପତି  । ଏଭଳି ହୃଦୟ ବିଦାରକ ଓ ପ୍ରେମର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜୟପୁର ଗାଁରେ । ଗାଁର ଉଦୟନାଥ ଓ ସ୍ତ୍ରୀ ଅମ୍ବିକାଙ୍କର ଏକା ସମୟରେ ଜଳିଛି ଜୁଇ  । ହାତ ଧରି ଚାଲିବାକୁ ଶପଥ ନେଇଥିଲେ  । ଏକାଠି ସଂସାର ଗଢିଥିଲେ ।   ଜୀବନର ସୁଖ ଦୁଃଖକୁ ବାଣ୍ଟିନେଇ ସମ୍ପର୍କରେ ମଧୁରତା ଭରିଥିଲେ  । ଆଜି କେମିତି ତୁ ଏକା ଛାଡ଼ି ଚାଲିଯିବୁ । ଜୀବନକୁ ଛାଡି ମୁଁ କଣ ବଞ୍ଚିପାରିବି  । ସାଙ୍ଗ ହୋଇ ସାତ ଜନମକୁ କଥା ଦେଇଥିଲେ, ଚାଲ୍ ଏବେ ସାଥି ହୋଇ ଚାଲିଯିବା  । ଯାଜପୁର ଜିଲ୍ଲା ଜୟପୁର ଗାଁର ଖରସ୍ରୋତା ନଦୀ ପଠାରେ ଏକାଠି ଜଳିଲା ଦୁଇଟି ଜୁଇ  । ଡକାଡକି ହୋଇ ଆରପାରିକୁ ଚାଲିଗଲେ ପତି ପତ୍ନୀ  । ସ୍ବାମୀ ଉଦୟ ନାଥ ଷଡଙ୍ଗୀ ଓ ତାଙ୍କ ପତ୍ନୀ ଅମ୍ବିକା ଷଡଙ୍ଗୀ ଏକାଠି ହୋଇ ଆରପାରିକୁ ଚାଲିଯାଇଛନ୍ତି ।

୬୫ ବର୍ଷୀୟ ଉଦୟନାଥ ଷଡଙ୍ଗି ହରିପୁରରେ ହାର୍ଡଓ୍ବାର ଦୋକାନଟିଏ କରିଥିଲେ  । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ବାଟରେ ଅଚେତ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାମୀଙ୍କ ଅସୁସ୍ଥତା ଖବର ଶୁଣି ପତ୍ନୀ ଅମ୍ବିକା ମଧ୍ୟ ଅଚେତ ହୋଇପଡିଲେ । ପରେ ତାଙ୍କୁ ମଧ୍ୟ କଟକ ବଡମେଡିକାଲରେ ଭର୍ତ୍ତି କରାଗଲା  । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ଉଦୟଙ୍କ ଅସୁସ୍ଥତା ଖବରରେ ସତେ ଯେମିତି ଅସ୍ତ ହୋଇଯାଇଥିଲା ଅମ୍ବିକାଙ୍କ ଜୀବନ । ପ୍ରାଣକୁ ଛାଡି କେମିତି ବଞ୍ଚିଥାନ୍ତେ ପ୍ରାଣପ୍ରିୟା । ସେଇଥିପାଇଁତ ସାଥି ହୋଇ ନିଜର ଶପଥ ରଖିଛନ୍ତି ଉଭୟ ପତ୍ନୀ ପତି  ।

 

Leave a Reply