ବିଜେଡି ସଦସ୍ୟତା ଅଭିଯାନରେ ଯାଜପୁରରେ ୮୨ ହଜାରରୁ ଅଧିକ ସଭ୍ୟ ସଂଗ୍ରହ

1 min read

ବିଜେଡିର ସଭ୍ୟ ସଂଗ୍ରହ ଏଥର ଏକ କୋଟି ଟପିବ। ଏହି ଟାଗେର୍ଟ୍‌ ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଲକ୍ଷ୍ୟ ଥିଲା ଘରେଘରେ ଶଙ୍ଖ। ଗାନ୍ଧି ଜୟନ୍ତୀରୁ ରାଜଧାନୀରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଆଉ ତାପରେ ସବୁ ଜିଲ୍ଲାରେ ଜୋର୍‌ ଧରିଥିଲା ସଭ୍ୟସଂଗ୍ରହ କ୍ୟାଂପେନ୍‌ । ନେତା, ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ପ୍ରତିଯୋଗିତା। ସଂଗଠନ ସଂପ୍ରସାରଣରେ କିଏ କେତେ ପାଓ୍ୱାରଫୁଲ ! ଅର୍ଥାତ ଡେଡ୍‌ ଲାଇନ୍‌ ଭିତରେ କିଏ କେତେ ସଭ୍ୟ ସଂଗ୍ରହ କରିବେ ।  ଅକେ୍ଟାବର ୩୧ ପର୍ଯ୍ୟନ୍ତ ଚାଲିବ ସଭ୍ୟସଂଗ୍ରହ ଅଭିଯାନ। ହେଲେ ଏଯାଏଁ ଯେଉଁ ତାଲିକା ହସ୍ତଗତ ହୋଇଛି, ସେଥିରେ ଯାଜପୁର ଜିଲ୍ଲା ଏକ ନମ୍ବର ରହିଛି। ବିଶେଷ କରି ଯାଜପୁର ବିଧାନସଭା କ୍ଷେତ୍ରରେ ସଭ୍ୟ ସଂଗ୍ରହ ସର୍ବାଧିକ ହୋଇଛି । ତଥ୍ୟ ଅନୁସାରେ ଏଯାଏଁ ସଭ୍ୟ ସଂଗ୍ରହରେ ଓଡ଼ିଶାରେ ଯାଜପୁର ବିଧାନସଭା କ୍ଷେତ୍ରରେ ୮୨ ହଜାର ୭୯୮ ସଭ୍ୟ ହୋଇସାରିଛନ୍ତି। ଯାହାକି ସମଗ୍ର ରାଜ୍ୟରେ ନମ୍ବର ଓ୍ୱାନ୍‌। ଏହା ପଛକୁ ରହିଛି ସେହି ଜିଲ୍ଲାର ଧର୍ମଶାଳା ଓ ସୁକିନ୍ଦା ବିଧାନସଭା କ୍ଷେତ୍ର । ଧର୍ମଶାଳାରେ ଏହି ସଂଖ୍ୟା ୭୬ ହଜାର ୧୬ ଥିବା ବେଳେ ସୁକିନ୍ଦାର ରହିଛି ୬୮ ହଜାର ୧୪୦। ଏହା ପରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ୬୨ ହଜାର ୧୨୨, ବିଂଝାରପୁରରେ ୬୫ ହଜାର ୫୨୯, ମୟୂରଭଞ୍ଜର ଯଶିପୁରରେ ୫୩ ହଜାର ୧୦, ନୟାଗଡ଼ରେ ୫୨ ହଜାର ୭୨୮, ବାଲେଶ୍ୱର ଜିଲ୍ଲା ଭୋଗରାଇରେ ୫୧ ହଜାର ୯୪୦, ସୋରରେ ୫୦ ହଜାର ୮୩୦ ଓ କଟକ ଜିଲ୍ଲାର ଆଠଗଡ଼ରେ ଏହା ୫୦ ହଜାର ୫୦୨ ରହିଛି।

ଫିଗର କହୁଛି, ଏଯାଏଁ ଯାଜପୁର ନମ୍ବର ୧ ରହିଛି । ଆଉ ତାହା ସଫଳ ହୋଇଛି ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପାଇଁ। ଜିଲ୍ଲାରେ ତାଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁଁ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି। ବିକାଶର ପରିଭାଷା କଣ ତାହାକୁ କଥାରେ ନୁହେଁ କାମରେ ପ୍ରତିଫଳିତ କରିଛନ୍ତି ବବି। ପରିଶ୍ରମୀ ଯୁବନେତା ପ୍ରଣବ ପ୍ରକାଶ ଦିନରାତି ଏକ କରି ଯାଜପୁରର ଚେହେରା ଯେଉଁ ପରି ବଦଳାଇଦେଇଛନ୍ତି, ଦଳୀୟ ସଭ୍ୟ ହେବାକୁ ଲୋକଙ୍କୁ ତାହା ବାଧ୍ୟ କରିଛି। ପନ୍ଦର ବର୍ଷ ତଳର ଯାଜପୁର ଓ ଆଜିର ଭିତ୍ତିଭୂମି ମଧ୍ୟରେ ଆକାଶ ପାତାଳ ଫରକ୍‌। ପୁରାତନ ପୁଷ୍କରଣୀ କୁସୁମାର ପୁନରୁଦ୍ଧାର, ସହର ସୁରକ୍ଷା ପାଇଁ ରିଙ୍ଗ୍‌ ରୋଡ୍‌, ସଦର ମହକୁମାର ପାନୀୟ ଜଳ ଓ ଆଲୋକ ବ୍ୟବସ୍ଥା, ଦଶ୍ୱାସମେଧ ଘାଟର ନବୀକରଣ, ଏକାଧିକ ପର୍ଯଟନ କ୍ଷେତ୍ରର  ଆଖିଦୃଶିଆ ବିକାଶ, ସହରର ସୌନ୍ଦର୍ଯ୍ୟକରଣ, ଚତୁପାର୍ଶ୍ୱର ବିକାଶ ଇତ୍ୟାଦି ଐତିହାସିକ ପଦକ୍ଷେପ ନେଇ ଯାଜପୁରର ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଗ୍ରାଉଣ୍ଡ ଜିରୋରେ ନିଜେ ଖଟିଛନ୍ତି, ସହଯୋଗୀମାନଙ୍କୁ ସେଇ ଧାରାରେ ସାମିଲ କରିଛନ୍ତି। ଫଳ ସ୍ୱରୂପ ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନେ ସ୍ୱତଃପ୍ରବୃତ୍ତ ଭାବେ ବିଜେଡିର ସଭ୍ୟ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଯାଜପୁର ହେଉଛି ବିଜେଡିର ଗଡ଼। ଦୀର୍ଘବର୍ଷ ଧରି ଜିଲ୍ଲାର ୭ଟି ବିଧାନସଭା ଓ ଲୋକସଭା ଆସନ ବିଜେଡି ଅକ୍ତିଆର କରିଆସୁଛି। ଜଣେ ଯୁବ ନେତା ଭାବରେ ପ୍ରଣବ ଯେପରି ଦଳ ପାଇଁ ପରିଶ୍ରମ କରୁଛନ୍ତି ତାହା ଯାଜପୁର ବିଜେଡିର ସମସ୍ତ ସଦସ୍ୟଙ୍କୁ ପ୍ରେରଣା ଦେଇଛି। ଯେଉଁ କାରଣରୁ ସଭ୍ୟ ସଂଗ୍ରହକୁ ଅଧିକ କ୍ରିୟାଶୀଳ କରିଛନ୍ତି କର୍ମୀମାନେ। ୧ ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ ଟାଗେର୍ଟ ରଖିଥିବା ଯାଜପୁର ବିଧାନସଭା କ୍ଷେତ୍ର ଲକ୍ଷ୍ୟର ନିକଟତର ହୋଇଛି ।

-ତପନ ମହାନ୍ତି

')}

Leave a Reply