କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର: ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ

ସୁଉଚ୍ଚ ତୋରଣ । ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର । ଯାଜପୁରରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ସୋମବାର ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ଆରମ୍ଭ ହୋଇଛି । ନିଶାର୍ଦ୍ଧରେ ପୂଜା ଆରମ୍ଭ ହୋଇ ଚଣ୍ଡିପାଠ ସାଙ୍ଗକୁ ସହସ୍ର ନାମ ଯଜ୍ଞ ଚାଲିଛି । ଚଳିତ ଥର ସହରରେ ୪୨ ଟି ପୂଜା ମଣ୍ଡପରେ ପୂଜା ପାଇଛନ୍ତି ମାଆ କାଳୀ ଓ ଲକ୍ଷ୍ମୀ ନାରାୟଣ । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁର ସହରର କିଆନାଳୀ ଛକ, ହରପାର୍ବତି ଛକ, ବଡବଜାର, ଗରିଆପୁର, ନାରାୟଣୀ ଛକ, ହାବେଳି ବଜାର, ଅମ୍ବିକାଇ, ମେଡିକାଲ ଆଦି ଛକରେ ବଡ ଧୁମଧାମରେ କାଳୀପୂଜା ପାଳନ ହେଉଛି । ପୂଜା ଦେଖିବାକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ସନ୍ଧ୍ୟାରେ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା । ସଂଧ୍ୟା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହରକୁ ଭାରି ଯାନ ଏବଂ ୪ ଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।