ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ବିଜେଡି

ଯାଜପୁର : ଅପରାଧର ହଟ୍ ସ୍ପଷ୍ଟ ଓ ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ଯାଜପୁର। ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ‌ହୋଇପଡିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଥିବା ବେଳେ ତାଙ୍କ ଗସ୍ତ ଦିନ ହିଁ ଜିଲ୍ଲାରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ଓ ଡକାୟତି ଘଟଣା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଶନିବାର ବିଳମ୍ବିତ ରାତିରେ ଯାଜପୁର ରୋଡ଼ ଥାନା ସୋବରା ଅଞ୍ଚଳରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା ଘଟଣାରେ ବ୍ୟାସନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସର ପାରିବାପଣିଆ ବିରୋଧରେ ବିଷୋଦଗାର କରିଛି ବିଜେଡି । ଅଭିଯୋଗ ମୁତାବକ କିଛିଦିନ ତଳେ ଧର୍ମଶାଳା ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ଧର୍ମଶାଳା ଆସିଥିବା ସମୟରେ ଦିନ ଦ୍ବିପହରରେ ପାଣିକୋଇଲି ଠାରେ ଅଳଙ୍କାର ଦୋକାନ ଲୁଟ ଏବଂ ଡକାୟତଙ୍କ ଗୁଳିରେ ୨ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ଗତ ଶନିବାର ପୁଣି ମୁଖ୍ୟମନ୍ତ୍ରୀ ବ୍ୟାସନଗର ଆସିଥିବାବେଳେ ରାତିରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହାବ୍ୟତୀତ ବ୍ୟାସନଗର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ରାତିରେ ଚୋରି ଓ ଡକାୟତି ହେଉଛି। ଦିନ ଆଲୁଅରେ ରାସ୍ତାରେ ଛିନତାଇ ଓ ରାହାଜାନୀ ପରି ଘଟଣା ଦେଖିବାକୁ ମିଳୁଛି। ପୋଲିସର କାର୍ଯ୍ୟଦକ୍ଷତାକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଧ୍ୟ ଅପରାଧ ଉପରେ ଅଙ୍କୁଶ ଲଗାଇବା ପୋଲିସ ପକ୍ଷେ ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ପୋଲିସ ଲୋକଙ୍କ ବିଶ୍ବାସନୀୟତା ହରାଇ ସାରିଥିବା ବିଜେଡି କହିଛି। ଏହାକୁ ଦୃଢ଼ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଏହାର ପ୍ରତିକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।  ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ନ ଆଣିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।