ଇନ୍ଦିରା ଗାନ୍ଧି ମୋ ବାପାଙ୍କୁ ପଦରୁ ହଟାଇ ଦେଇଥିଲେ; ପୂରୁଣା କଥା ବଖାଣିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ସାକ୍ଷାତକାରରେ ଇନ୍ଦିରା ଗାନ୍ଧି ଏବଂ ରାଜିବ ଗାନ୍ଧି ପ୍ରଧାନମନ୍ତ୍ରୀ ରହିବା ସମୟରେ ନିଜ ବାପାଙ୍କ ସହ ହୋଇଥିବା ଅନ୍ୟାୟ ସମ୍ପର୍କରେ ପ୍ରଥମ ଥର ପାଇଁ ମୁଁହ ଖୋଲିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ମୋ ବାପା ଡା. କେ ସୁବ୍ରମଣ୍ୟମ କ୍ୟାବିନେଟ୍ ସଚିବ ଥିଲେ, କିନ୍ତୁ ୧୯୮୦ରେ ଯେବେ ଇନ୍ଦିରା ଗାନ୍ଧି ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇ କ୍ଷମତାକୁ ଆସିଥିଲେ, ତେବେ ସର୍ବପ୍ରଥମେ ମୋ ବାପାଙ୍କୁ ପଦରୁ ହଟାଇ ଦେଇଥିଲେ । ମୋ ବାପା ବହୁତ ସଚ୍ଚୋଟ ବ୍ୟକ୍ତି ଥିଲେ ଏବଂ ବୋଧହୁଏ ଏହି କାରଣରୁ ତାଙ୍କୁ ସମସ୍ୟା ହେଉଥିଲା ।

ସେ ଏହା ପରେ କେବେ ବି ସଚିବ ହୋଇ ପାରିନଥିଲେ । ରାଜିବ ଗାନ୍ଧିଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ମୋ ବାପାଙ୍କଠାରୁ ଜୁନିୟର ଅଧିକାରୀଙ୍କୁ କ୍ୟାବିନେଟ୍ ସଚିବ କରାଯାଇଥିଲା । ନ୍ୟୁଜ ଏଜେନ୍ସି ଏଏନଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ ଜୟଶଙ୍କର ପରିବାର, ନରେନ୍ଦ୍ର ମୋଦିଙ୍କ ସହ ପ୍ରଥମ ଭେଟ, ବ୍ୟୁରୋକ୍ରେସିରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା ସମେତ ଅନେକ ବଡ଼ ପ୍ରସଙ୍ଗ ସମ୍ପର୍କରେ ଖୋଲା ଖୋଲି ଭାବେ କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବିଦେଶୀ ମିଡିଆ, କଂଗ୍ରେସ ପାର୍ଟି, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ, ଆମେରିକୀୟ ବିଜନେସମ୍ୟାନ ଜର୍ଜ ସୋରୋସଙ୍କ ବୟାନର ଟାଇମିଙ୍ଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ଚୀନର ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧି ଏବଂ କଂଗ୍ରେସର ପ୍ରଶ୍ନର ଜବାବ ଦେଇ ଜୟଶଙ୍କର କହିଥିଲେ, ଆମ ଉପରେ ଆରୋପ ଲାଗୁଛି ଯେ ଆମେ ଚୀନକୁ ଡରୁଛୁ, ତାର ନାଁ ମଧ୍ୟ ନେବାକୁ ଡରୁଛୁ । ମୁଁ କହିଦେବାକୁ ଚାହେଁ ଯେ ଆମେ ଚୀନକୁ ଡରୁନାହୁଁ । ଯଦି ଆମେ ଡରୁଛୁ ତେବେ ଭାରତୀୟ ସେନାକୁ ଚୀନ ସୀମାକୁ କିଏ ପଠାଇଥିଲା? ଏ ସେନା ରାହୁଲ ଗାନ୍ଧି ପଠାଇନଥିଲେ, ନରେନ୍ଦ୍ର ମୋଦି ପଠାଇଥିଲେ । ଜୟଶଙ୍କର କହିଥିଲେ, କଂଗ୍ରେସ ଏବଂ ବିରୋଧୀ ଦଳ ଆରୋପ ଲଗାଉଛନ୍ତି ଯେ ଲଦ୍ଦାଖରେ ପେଙ୍ଗୟାଙ୍ଗ ହ୍ରଦ ପାଖରେ ଚୀନ ବ୍ରୀଜ ନିର୍ମାଣ କରୁଛି ।

ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ ଯେ ଏହି ଅଞ୍ଚଳ ୧୯୬୨ରୁ ଚୀନର ଅବୈଧ କବଜାରେ ରହିଛି । ବର୍ତ୍ତମାନ ଭାରତୀୟ ଇତିହାସର ସବୁଠୁ ବଡ଼ ପିସ୍ ଟାଇମ ଡିପ୍ଲୋମେଣ୍ଟ ଚୀନ ସୀମାରେ ନିୟୋଜିତ ଅଛି । ଏବଂ ଦୟାକରି ଆପଣ ଏହି କଥାକୁ ନୋଟ କରନ୍ତୁ, ମୁଁ ଚୀନ୍ କହିଛି । ଏଥିସହ ସେ କହିଥିଲେ ଯଦି ରାହୁଲଙ୍କ ପାଖରେ ଚୀନ୍ ସମ୍ପର୍କରେ ଅଧିକ ଜ୍ଞାନ ଏବଂ ବୁଦ୍ଧିମତା ଅଛି ତେବେ ମୁଁ ତାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ଅଛି ।