ଭାରତ ସହ ସମ୍ପର୍କ ଏବଂ କଥାବାର୍ତ୍ତା ଉପରେ କହିଲା ପାକିସ୍ତାନ, ଜୟଶଙ୍କରଙ୍କ ମନ୍ତବ୍ୟରେ ହିଁ ଉତ୍ତର…
1 min read
ନନ୍ଦିଘୋଷ ବ୍ୟୁରୋ : ଆଗାମୀ ସଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପାକିସ୍ତାନ ଭାରତ ସହ ଦ୍ବାପାକ୍ଷିକ ଆଲୋଚନା କରିବାର ସମ୍ଭାବନାକୁ ଏଡାଇ ଦେଇଛି । ଏହି ଶିଖର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ। ତାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରତିନିଧୀ ଦଳ ଇସଲାମାବାଦ ଯିବେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କିଛି ଦିନ ପୂର୍ବରୁ କହିଥିଲେ ଯେ ତାଙ୍କର ପାକିସ୍ତାନ ଗସ୍ତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନୁହେଁ ବରଂ ବହୁପକ୍ଷୀୟ କାର୍ଯ୍ୟକ୍ରମ ପାଇଁ ହେବ।
ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନଅ ବର୍ଷ ମଧ୍ୟରେ ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ହେବ, ଶେଷ ଥର ପାଇଁ ସୁଷମା ସ୍ୱରାଜ ୨୦୧୫ ମସିହାରେ ବୈଦେଶିକ ମନ୍ତ୍ରୀ ଭାବରେ ଇସଲାମାବାଦ ଗସ୍ତ କରିଥିଲେ। ଯେତେବେଳେ ଜୟଶଙ୍କରଙ୍କ ଗସ୍ତ ବିଷୟରେ ପଚରାଗଲା, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜାହରା ବଲୁଚ କହିଛନ୍ତି, ମୁଁ ଅକ୍ଟୋବର ୫ ରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଧ୍ୟାନ ଦେବାକୁ ଚାହୁଁଛି । ଯେଉଁଥିରେ ସେ କହିଥିଲେ ଯେ, ତାଙ୍କର ଆଗାମୀ ଇସଲାମାବାଦ ଗସ୍ତ ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମକୁ ନେଇ ହେଉଛି । ପାକିସ୍ତାନ-ଭାରତ ସମ୍ପର୍କ ବିଷୟରେ ଆଲୋଚନା ପାଇଁ ନୂହେଁ । ତାଙ୍କର ଏହି ମନ୍ତବ୍ୟଗୁଡିକ ଏମିତି କିଛି ସୂଚନା ଦେଉଛି ।
ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଥିଲେ ଯେ ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦ ଗସ୍ତ ସମୟରେ ଭାରତ-ପାକିସ୍ତାନ ପ୍ରସଙ୍ଗରେ ଆଲୋଚନା ଏଜେଣ୍ଡା ଉପରେ ନାହିଁ । ଏକ ସମାବେଶକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ‘ମୁଁ ଚଳିତ ମାସ ମଧ୍ୟ ଭାଗରେ ଏସସିଓ ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଯୋଜନା କରିଛି । ଏହା ହେଉଛି ସରକାରଙ୍କ ମୁଖ୍ୟମାନଙ୍କର ଏକ ଶିଖର ସମ୍ମିଳନୀ । ମୁଁ ସେଠାକୁ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ଯାଉନାହିଁ । ମୁଁ ଏସସିଓର ଜଣେ ଭଲ ସଦସ୍ୟ ଭାବରେ ସେଠାକୁ ଯାଉଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ରହିଛି । ୨୦୧୯ରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଇସଲାମାବାଦ ନୂଆଦିଲ୍ଲୀ ସହିତ କୂଟନୈତିକ ସମ୍ପର୍କ ହ୍ରାସ କରିଛି । ଫେବୃଆରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିରକୁ ଧକ୍କା ଦେବା ପରେ ସମ୍ପର୍କ ତିକ୍ତ ହୋଇ ରହିଥିଲା । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ।