ଆଳୁ ଖୋଳୁଖୋଳୁ ମହାଦେବ ନୁହନ୍ତି ବାହାରିଲା ସୁଡ଼ଙ୍ଗ, ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଜୟପୁରରେ ଆତଙ୍କ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଜୟପୁର ଗସ୍ତର ଦୁଇ ଦିନ ପୂର୍ବରୁ ମିଳିଲା ୩୫୦ ଫୁଟ ଲମ୍ବର ଟନେଲ । ଏହି ଟନେଲ୍ ପ୍ରାୟ ୬ ଫୁଟ ଚଉଡା ଏବଂ ୧୦ ଫୁଟ ଉଚ୍ଚା। ମଙ୍ଗଳବାର ଦିନ ଏହି ଟନେଲ ବିଷୟରେ ଜଣାପଡ଼ିବା ପରେ ପୋଲିସ ପ୍ରଶାସନ ଭିତରେ ଆତଙ୍କ ଖେଳିଯାଇଛି। ଏହି ଖବର ମିଳିବା ପରେ ଘଟଣାସ୍ଥଳକୁ ଦୌଡ଼ିଥିଲେ ପୋଲିସ୍ କର୍ମଚାରୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଟନେଲ ଦୁଇଟି ବ୍ୟାଙ୍କ ଏବଂ ଏକ ଅଳଙ୍କାର ଶୋ’ ରୁମ ଭାଙ୍ଗିବା ପାଇଁ ଖୋଳାଯାଉଥିଲା। କିନ୍ତୁ ମଙ୍ଗଳବାର ଦିନ ଏକ ଆଳୁ ଭର୍ତ୍ତି ଗାଡି ଏହି ଟନେଲ ଦେଇ ଗଲାବେଳେ ରାସ୍ତାଟି ଦବିଯାଇଥିଲା । ଏହା ପରେ ଟନେଲ ଥିବା କଥା ସମସ୍ତେ ଜାଣିବାକୁ ପାଇଲେ ।
ପୋଲିସର ସୂଚନାନୁସାରେ, ରାଜଧାନୀ ଜୟପୁରର ବିଦ୍ୟାଧର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଟନେଲ ଦେଖିବାକୁ ମିଳିଛି। ଅମ୍ବାବାଡ଼ି ପରିବା ବଜାର ନିକଟ ଏକ ଦୋକାନରୁ ଏହି ଟନେଲ ଖୋଳାଯାଇଛି। ଏହି ସମଗ୍ର ଷଡଯନ୍ତ୍ରରେ ଉତ୍ତରପ୍ରଦେଶର ବରେଲିରୁ ଆସିଥିବା ଏକ ଗ୍ୟାଙ୍ଗର ନାମ ସାମ୍ନାକୁ ଆସିଛି। ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ଗତ ୬ ମାସ ଧରି ଏହି ଟନେଲ ଖୋଳୁଥିଲେ। ଛଅ ମାସରେ ସେ ୩୫୦ ଫୁଟରୁ ଅଧିକ ଲମ୍ବ ଏକ ଟନେଲ ଖୋଳିଥିଲେ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସେଠାରେ ଅବସ୍ଥିତ ଏସବିଆଇ ସମେତ ଅମ୍ବିକା ଜୁଏଲର୍ସକୁ ଭାଙ୍ଗିବା ପାଇଁ ଏହି ଟନେଲ ଖୋଳାଯାଇଥିଲା।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁର୍ବୃତ୍ତମାନେ ଏକ ଦୋକାନ ଭଡା ନେଇ ଏହି ଟନେଲ ଖୋଳିବା ଆରମ୍ଭ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ଯେତେବେଳେ ଏକ ଗାଡି ଏହା ଉପର ଦେଇ ଯାଇଥିଲା, ସେତେବେଳେ ରାସ୍ତାଟି ଦବି ଯାଇଥିଲା। ବଡ଼ ଗର୍ତ୍ତ ଦେଖିବା ପରେ ପୋଲିସକୁ ଏ ନେଇ ସୂଚନା ଦିଆଯାଇଥିଲା । ଏହାପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।