ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ, ପ୍ରତି ରବିବାର ଜେଲ ପରିଦର୍ଶନ କରିବେ ଥାନାଧିକାରୀ

ଭୁବନେଶ୍ୱର: ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପିବା ହେବ ମୁସ୍କିଲ । ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । କନେଷ୍ଟବଳ ନୁହେଁ ଜେଲ ପରିଦର୍ଶନ କରିବେ ଥାନାଧିକାରୀ । ଆଜି ଝାରପଡା ଜେଲରେ ସବୁ ଥାନାଧିକାରୀ ପହଞ୍ଚିଛନ୍ତି । ଆରମ୍ଭ ହୋଇଛି ଜେଲ ପରେଡ । ଜେଲର ରେଜିଷ୍ଟାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଛିଡ଼ା କରାଇ ସେମାନଙ୍କ ବାବଦରେ ପୋଲିସ ତଥ୍ୟ ନେଇଛି । ଅପରାଧୀଙ୍କ ଆଚରଣ, ଉଚ୍ଚାରଣ ଏବଂ କେତେ ମାମଲାରେ ସେମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଥ୍ୟ ନିଆଯାଉଛି ।

ସେମାନେ ଘଟାଇଥିବା ଅପରାଧର ତରିକା କ’ଣ । ଜେଲରେ ରହୁଥିବା ଅଭିଯୁକ୍ତମାନେ କାହା ସହ ମିଶୁଛନ୍ତି, କାହା ସହ ବନ୍ଧୁତା ସ୍ଥାପନା କରୁଛନ୍ତି । ମୁଲାକାତ ବେଳେ କାହା ସହ ଭେଟୁଛନ୍ତି । ଏ ସବୁର ତର୍ଜମା କରୁଛନ୍ତି ଥାନାଧିକାରୀ । ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହି ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜେଲ ଯାଇଛନ୍ତି ଓ ଜାମିନରେ ବାହାରିବେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପରେଡରେ ଏସିପି, ସମସ୍ତ ଥାନାର ଆଇଆଇସି ଓ ପିଓପିଡି ଅଧିକାରୀ ସାମିଲ ହୋଇଛନ୍ତି ।