ଜେଲରେ ହେବ ଓପନ ଜିମ୍, ୧.୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି ସରକାର

1 min read

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜେଲରେ ବନ୍ଦୀମାନଙ୍କ ପାଇଁ ଓପନ ଜିମ୍ ତିଆରି କରାଯିବ । ୟୁପି କ୍ୟାବିନେଟରେ ଏଥିପାଇଁ ୧.୯ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି। ବୁଧବାର ୟୁପିର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ୭୫ ଜେଲ ଏବଂ ସବ-ଜେଲରେ ତଥା ଲକ୍ଷ୍ନୌର ଡକ୍ଟର ସାମୁର୍ନାନନ୍ଦ ଜେଲ ତାଲିମ କେନ୍ଦ୍ରରେ ଓପନ ଜିମ୍ ସ୍ଥାପନ କରିବାର ଯୋଜନା ରହିଛି ।

ଏଥିରେ ପ୍ରାୟ ଏକ ଲକ୍ଷ କଏଦୀ ଉପକୃତ ହେବେ । ଏହାପୂର୍ବରୁ ନଭେମ୍ବର ୧୩ ରେ ଏକ କାର୍ଯ୍ୟକ୍ରମରେ ଜେଲ ମନ୍ତ୍ରୀ ଦାରା ସିଂ ଚୌହାନ ବନ୍ଦୀମାନଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ  ଗୁରୁତ୍ୱାରୋପ କରିଥିଲେ । ଚୌହାନ କହିଛନ୍ତି ଯେ, ବନ୍ଦୀମାନଙ୍କ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଜେଲ ଅଧିକାରୀ କହିଛନ୍ତି ଯେ, ଏହା ବନ୍ଦୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ । ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ତେବେ ସେ ଜେଲରୁ ବାହାରିବା ପରେ ଭଲ ଜୀବନ ଆରମ୍ଭ କରିବାକୁ ସକ୍ଷମ ହେବେ ।

ୟୁପି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓପନ ଜିମ୍ ପାଇଁ ପ୍ରସ୍ତାବ ସେପ୍ଟେମ୍ବର ୪ ରେ କ୍ୟାବିନେଟରେ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ନଭେମ୍ବର ୧୯ରେ ଅନୁମୋଦନ କରାଯାଇଥିଲା ।  ୟୁପି ଜେଲ୍ ପ୍ରଶାସନ ଏବଂ ସଂଶୋଧନ ସେବା ମହାନିର୍ଦ୍ଦେଶକ ପି.ଭି ରାମାଶସ୍ତ୍ରୀଙ୍କୁ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ସମସ୍ତ ସ୍ଥାନରେ ଜିମ୍ ଉପକରଣ ସ୍ଥାପନ କରିବା ପାଇଁ ଦାୟିତ୍ବ ଦିଆଯାଇଛି ।

ନଜର ପକାନ୍ତୁ