ବିଭିନ୍ନ ରାଜ୍ଯର ଜେଲରେ ଜାତିଭିତ୍ତିକ ପାତରଅନ୍ତର ପ୍ରସଙ୍ଗ, ଆଜି ରାୟ ଶୁଣାଇବେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ ଖଣ୍ଡପୀଠ

1 min read

ନନ୍ଦିଘୋଷ ବ୍ୟୁରୋ:  ବିଭିନ୍ନ ରାଜ୍ଯର ଜେଲରେ ଜାତିଭିତ୍ତିକ ପାତରଅନ୍ତର ପ୍ରସଙ୍ଗ। ଆଜି ରାୟ ପ୍ରଦାନ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର। ଏହି ମାମଲାରେ ଗତ ଜାନୁଆରୀରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ୧୧ ରାଜ୍ଯ ଓ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ତଲବ କରିଥିଲେ ଅଦାଲତ। ଜେଲ୍ ଭିତରେ ଜାତିଭିତ୍ତିରେ କାମ ବଣ୍ଟନ କରାଯିବା ନେଇ ଜେଲ୍ ମାନୁଆଲଗୁଡିକରେ ବ୍ଯବସ୍ଥା ରହିଛି ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା। କେରଳର ଉଦାହରଣ ଦେଇ ପିଟିସନରେ ଦର୍ଶାଯାଇଛି- କେରଳ ମାନୁଆଲ ଅନୁସାରେ ଜଣେ ଲୁଟେରା, ଘରଭାଙ୍ଗି  ଲୁଟ୍ କରୁଥିବା ବ୍ଯକ୍ତି, ଡକାଏତ ଓ ଚୋରଙ୍କୁ ଅଲଗା ଭାବେ ମାନ୍ଯତା ଦିଆଯାଇଛି ଏବଂ ଅନ୍ଯ ଦୋଷୀ ସାବ୍ଯସ୍ତ କଏଦୀଙ୍କଠାରୁ ଅଲଗା ରଖାଯାଇଥାଏ। ସେହିପରି ପଶ୍ଚିମବଙ୍ଗ ଜେଲରେ ଉଚ୍ଚଜାତିର ଅନ୍ତେବାସୀଙ୍କୁ ରୋଷେଇ ଓ ନିମ୍ନଜାତିର ଅନ୍ତେବାସୀଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ପୂର୍ବରୁ ଏନେଇ କେନ୍ଦ୍ର ଗୃହ ବ୍ଯାପାର ମନ୍ତ୍ରାଳୟ ଓ ଅନ୍ଯମାନଙ୍କୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ। ସମ୍ବିଧାନର ଧାରା ୩୨ ଅନୁସାରେ ମହାରାଷ୍ଟ୍ର କଲ୍ଯାଣର ସୁକନ୍ଯା ସନ୍ଥଙ୍କ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା।