ମୁସେୱାଲା ହତ୍ୟାକାଣ୍ଡର ମିଳିଲା ଲିଙ୍କ, ମୁହଁ ଖୋଲିବ ଜାଘବ !

ମୁମ୍ବାଇ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ନେଇ ସୁଟର ସନ୍ତୋଷ ଜାଘବକୁ ବାନ୍ଧିଲା ପୋଲିସ  । ଜାଘବର ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ପୋଲିସ  । ଦିଲ୍ଲୀ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଜାଘବକୁ ୨୦୨୧ ପୁଣେର ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ କରିଛି ପୋଲିସ  । ଏକ ବର୍ଷ ଧରି ଫେରାର ଥିଲା ଜାଘବ  ।

ହାଇପ୍ରଫାଇଲ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଜାଘବର ନାଁ ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ ଚଢାଉ ଜୋରଦାର କରିଥିଲା  । ୨୦୨୧ ହତ୍ୟାକାଣ୍ଡ ପରେ ଜାଘବକୁ ଆଶ୍ରୟ ଦେବା ଅଭିଯୋଗରେ ଅଭିଯୁକ୍ତ ସ୍ବିଦେଶ କାମ୍ବଲେ ଓରଫ ମହାକାଳକୁ ବି ଗିରଫ କରିଛି ପୋଲିସ  । ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ପଞ୍ଜାବ ପୋଲିସ ଉଭୟ ଜାଘବ ଓ ମହାକାଳକୁ ପଚରାଉଚୁରା କରିଛି  ।

ସେପଟେ ସ୍କ୍ରିପ୍ଟ ରାଇଟର ସଲିମ ଖାନ ଓ ତାଙ୍କ ପୁଅ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମାମଲାରେ ମହାକାଳକୁ ପଚରାଉଚୁରା ଜାରି ରହିଛି  । ପୁଣେ ପୋଲିସ ଜାଘବର ପତ୍ତା କରିବା ପାଇଁ ଗତ ସପ୍ତାହରେ ଟିମକୁ ଗୁଜୁରାଟ ଓ ରାଜସ୍ଥାନ ପଠାଇଥିଲା   ।