ଆଜି ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜଗଦୀପ ଧନଖଡ଼ । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ ନିଜ ପ୍ରତିଦ୍ୱନ୍ଦି ଏମ ଆଲଭାଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ଧନଖଡ଼ଙ୍କ ସପକ୍ଷରେ ୫୨୮ଟି ଭୋଟ୍ ପଡ଼ିଥିବା ବେଳେ ଆଲଭାଙ୍କ ସପକ୍ଷରେ ୧୮୨ ଖଣ୍ଡ ଭୋଟ୍ ପଡ଼ିଥିଲା ।

ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ୯୨.୯୪ ପ୍ରତିଶତ ମତଦାନ ହୋଇଥିଲା । ସମସ୍ତ ବୈଧ ଭୋଟରୁ ଧନଖଡ଼ ୭୪.୩୬ ପ୍ରତିଶତ ଭୋଟ୍‌ ହାସଲ କରିଥିଲେ । ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସର୍ବାଧିକ ବିଜୟ ବ୍ୟବଧାନ ବୋଲି ଜଣାପଡ଼ିଛି ।