ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼, ଶପଥପାଠ କରାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜଗଦୀପଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତ ୬ ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ଏନଡିଏ ପ୍ରାର୍ଥୀ ଧନଖଡ଼ । ଜଗଦୀପ ଧନଖଡ଼ ୫୨୮ ଭୋଟ ପାଇଥିବାବେଳେ ଆଲଭା ପାଇଥିଲେ ୧୮୨ ଭୋଟ୍ । ଧନଖଡ଼ ପାଇଥିବା ଭୋଟ ହାର ରହିଥିଲା ୭୪.୩୬ ପ୍ରତିଶତ । ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ ଧନଖଡ଼ । ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ଭୋଟ ଦେଇଥିବାବେଳେ ୧୫ ଭୋଟ ନାକଚ ହୋଇଥିଲା । ଭୋଟ ହାର ଥିଲା ୯୨.୯୪ ପ୍ରତିଶତ ।

ରାଜସ୍ଥାନର ଝୁନଝୁଲୁ ଜିଲ୍ଲାରେ ୧୯୫୧ ମେ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଧନଖଡ଼ । ସେ ଚିତ୍ତୋରଗଡ଼ର ସୈନିକସ୍କୁଲରୁ ଶିକ୍ଷାଲାଭ କରିବା ପରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ୍ କରିଥିଲେ । ଧନଖଡ଼ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ୧୯୮୯ରେ ସେ ଝୁନଝୁନୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।