ଜଗତସିଂହପୁର : ବାଟ ହୁଡ଼ିଛି ବିକାଶ । ଏଠି ପଡ଼ିନି ବିକାଶର ପାଦ । ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତ ଆଠ ନଂ ୱାର୍ଡ ବାଖରାବାଦ ଗାଁକୁ ନାହିଁ ପକ୍କା ରାସ୍ତା । ପାଦଚଲା ମାଟି ରାସ୍ତା ପାଲଟିଛି ସାହା ଭରସା । ଦେଶ ସ୍ଵାଧୀନ ହେବାର ୭୭ ବର୍ଷ ବିତିଥିଲେ ସୁଦ୍ଧା ବାଖରାବାଦ ହରିଜନ ସାହି ଠାରୁ ୧୩ ନଂ କେନାଲ ପର୍ଯ୍ୟନ୍ତ ୧ କିଲୋମିଟର ରାସ୍ତା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି । ରାସ୍ତାରେ ମାଟି ମୁଠାଏ ପଡିପାରୁନାହିଁ । ସଂକୀର୍ଣ୍ଣ ରାସ୍ତା କାରଣରୁ ୱାର୍ଡ ଭିତରକୁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ପଶିପାରୁନାହିଁ । ବର୍ଷା ଦିନେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତା ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ । …
ସେପଟେ ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କେହି ଶୁଣିବାକୁ ନାରାଜ । ଶେଷରେ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶାନାମା ପାଇ ସଭାପତି ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ଆକାଉଣ୍ଟ ଅଫିସରକୁ ନିର୍ଦ୍ଦେଶାବଳୀ ଦେଇଛନ୍ତି । ଧାର୍ଯ୍ୟ ସମୟ ଭିତରେ ରାସ୍ତା କାମ ନହେଲେ ଦଳିତ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

