କୁଆଡ଼େ ଗଲା ‘ଓ୍ବି ରେସପେକ୍ଟ ଦି ଡେଡ୍’ ବ୍ୟବସ୍ଥା

ଜଗତସିଂହପୁର: ମୃତ ଶରୀରକୁ ସମ୍ମାନ ଦେବା ପାଇଁ ଜଗତସିଂହପୁର ପୋଲିସା ଆପଣେଇ ଥିଲା ନୂଆ ବ୍ୟବସ୍ଥା । ଯାହାର ନାଁ ଥିଲା ‘ଓ୍ବି ରେସପେକ୍ଟ ଦି ଡେଡ’ । ଏଥିରେ ମୃତ ଶରୀରୁ ସମ୍ମାନର ସହ ନେବା ଆଣିବା କରାଯାଉଥିଲା । ପୋଲିସର ଏହି ବ୍ୟବସ୍ଥା ଲୋକଙ୍କ ମଧ୍ୟରେ ଆଦୃତ ମଧ୍ୟ ହେଉଥିଲା । ହେଲେ ଦୀର୍ଘ ବର୍ଷ ହେଲାଣି ପୋଲିସ ବନ୍ଦ କରି ଦେଇଛି ଏହି ବ୍ୟବସ୍ଥା । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ କ୍ୟାରିଂ ବ୍ୟାଗ ଓ କଫିନ ବକ୍ସ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲାବାସୀ ।

୨୦୧୭ ମସିହାରେ ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିଲା ଏହି ବ୍ୟବସ୍ଥା । ମୃତ ଶରୀରକୁ ସମ୍ମାନ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ଜଗତସିଂହପୁର ପୋଲିସ । କ୍ୟାରିଂ ବ୍ୟାଗ ଓ କଫିନ ବକ୍ସରେ ମୃତ ଶରୀରକୁ ନେବା ଆଣିବା ବ୍ୟବସ୍ଥା କରାଯାଇଥିଲା । ଏହାର କାର୍ଯ୍ୟକାରିତାକୁ ଦେଖି ଲିଖିତ ଆକାରରେ ଓଡିଶା ପୋଲିସ ସବୁ ଥାନାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଏବେ ଜଗତସିଂହପୁର ଜିଲ୍ଲାରେ ତାହା ହଜିଗଲାଣି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ ।

ଅଚିହ୍ନା ଶବକୁ ଉଦ୍ଧାର ବେଳେ ଏସମସ୍ତ ବ୍ୟବସ୍ଥା କରୁଥିଲା ଜଗତସିଂହପୁର ଜିଲ୍ଲା ପୋଲିସ । ଶବ ବ୍ୟବଚ୍ଛେଦ ଓ ପରେ କ୍ୟାରିଂ ବ୍ୟାଗରେ ସମ୍ମାନ ସହକାରେ ଠିକଣା ଯାଗାରେ ପହଞ୍ଚା ଯାଉଥଲା । କିନ୍ତୁ ଏବେ ସେ ସବୁ ଆଉ ଦେଖିବାକୁ ମିଳୁନାହିଁ । ଯିଏ ଯେମିତି ପାରୁଛି ସେମିତି ଶବକୁ ନେଇଯାଉଛି । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।