ପୂଜକ ବେଶରେ ଆସିଲେ, ମନ୍ଦିରରେ କଳାକନା ବୁଲାଇଲେ

ନନ୍ଦିଘୋଷ ବ୍ୟୁରୋ: ପୂଜକ ବେଶରେ ଆସୁଥିଲେ, ପୂଜାପାଠ ନାଁରେ ମନ୍ଦିରରେ କଳାକନା ବୁଲାଉଥିଲେ ।  ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ସହ ଠାକୁରଙ୍କ ଅଳଙ୍କାର ଲୁଟୁଥିବା ତିନି ଲୁଟେରା ଭାଇଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତିନିଭାଇ ମିଶି ୩ ଜିଲ୍ଲାର ୧୨ଟି ମନ୍ଦିରରୁ ଲୁଟ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ବରଦା ପ୍ରସାଦ ଆଚାର୍ଯ୍ୟ, ସାରଦା ପ୍ରସାଦ ଆଚାର୍ଯ୍ୟ ଓ ଆନନ୍ଦ ଆଚାର୍ଯ୍ୟ । ପୋଲିସ ସୂଚନା ଅନୁସାରେ ଏମାନେ ସମ୍ପର୍କରେ ତିନି ଭାଇ ଏମାନେ ପୂଜକ ବେଶରେ ମନ୍ଦିରକୁ ଯାଉଥିଲେ । ସେଠାରେ ପୂଜାପାଠ କରିବା ବାହାନାରେ ମୂର୍ତ୍ତି ସମେତ ଅଳଙ୍କାର ଲୁଟିନେଉଥିଲେ ।  ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ବାଲେଶ୍ଵର ମନ୍ଦିରରୁ ଚୋରି ହୋଇଥିଲା । ଘଟଣାର ତଦନ୍ତ କରି ମାମଲାରେ ସଂପୃକ୍ତ ବରଦା  ଓ ଆନନ୍ଦକୁ କମିଶନରେଟ ପୋଲିସ ଗିରଫ କରିଥିବାବେଳେ ସାରଦାକୁ କାବୁ କରିଛି ଜଗତସିଂହପୁର ପୋଲିସ । ଅଭିଯୁକ୍ତମାନେ ଅଭ୍ଯାସଗତ ଚୋର ହୋଇଥିବାବେଳେ ସେମାନଙ୍କୁଠାରୁ ବହୁ ଲୁଟ୍ ସାମଗ୍ରୀ ଜବତ ହୋଇଛି । ଏମାନେ ଏହି ଚୋରି ସାମଗ୍ରୀ କେଉଁଠାକୁ ଚାଲାଣ କରୁଥିଲେ ? ଏହି ସାମଗ୍ରୀ କେଉଁଠାରେ ବ୍ଯବହାର ହେଉଥିଲା ? ତାଙ୍କ ରାକେଟରେ ଆଉ କିଏ ସପୃକ୍ତ ଅଛି କି ନାହିଁ ? ଅନ୍ଯ କେଉଁ ଜିଲ୍ଲାରୁ ଚୋରି କରିଥିଲେ କି ନାହିଁ ? ସେନେଇ କମିଶନରେଟ ପୋଲିସ ଅଧିକ ତଦନ୍ତ କରୁଛି । ଆବଶ୍ଯକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଇପାରେ ।