ଜଗତସିଂହପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଦୁର୍ଗନ୍ଧରେ ଫାଟିପଡୁଛି ୨୧ଟି ୱାର୍ଡ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁରରେ ବିପର୍ଯ୍ଯସ୍ତ ଡ୍ରେନେଜ ବ୍ଯବସ୍ଥା । କେଉଁଠି ପୋତି ହୋଇଗଲାଣି ତ କେଉଁଠି ଦଳ ଲାଗି ଜାମ ହୋଇଗଲାଣି । ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ଡ୍ରେନ ପାଣି । ଦୁର୍ଗନ୍ଧରେ ଫାଟିପଡୁଛି ୨୧ଟି ୱାର୍ଡ । ଆଗକୁ ମୌସୁମୀ ଆସୁଥିବାରୁ ଚିନ୍ତାରେ ୪୦ ହଜାରରୁ ଉର୍ଦ୍ଧ୍ଵ ଲୋକେ ।

ବର୍ଷା ଜଳରେ ଲହଡ଼ି ଭାଙ୍ଗୁଛି ଡ୍ରେନ ପାଣି। ଚାରିଆଡ଼େ ଦୁର୍ଗନ୍ଧ ଓ ପୁତ୍ତିଗନ୍ଧ ମୟ ପରିବେଶ। ଲଘୁଜାପ ଜନିତ ଲଗାଣରେ ଏ ହେଉଛି ଜଗତସିଂହପୁର ପୌରପରିଷଦ ଅଞ୍ଚଳର ଦୃଶ୍ଯ । ୨୧ଟି ୱାର୍ଡରେ ନାହିଁ ନଥିବା ସ୍ଥିତି। ନାଳ ଦୁର୍ଗନ୍ଧ ଯୋଗୁ ଲୋକେ ନାହିଁ ନ ଥିବା ସ୍ଥିତିରେ। କୋଉଠି ଡ୍ରେନ ପୋଲିହେଲାଣି କେଉଁଠି ଦଳ ଓ ଅଳିଆରେ ଜାମ ହୋଇଯାଇଛି । ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦୀର୍ଘ ମାସ ଧରି ପଡିରହିଛି । ହେଲେ ମ୍ଯୁନସିପାଲଟିର ନିଘା ନାହିଁ । ଫଳରେ ସାଧାରଣ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି ।

ଜଗତସିଂହପୁରରେ ଡ୍ରେନେଜ ପାଣି ନିଷ୍କାସନ ହେବା ପାଇଁ ପୂର୍ବରୁ ମ୍ଯୁନସିପାଲଟି ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ ବୋଲି କୁହାଯାଉଥିଲା । ହେଲେ ଏପର୍ଯ୍ଯନ୍ତ ତାହା ପ୍ରସ୍ତୁତ ହୋଇପାରିଲା ନାହିଁ । ଲୋକେ ଯେଉଁ ହୀନସ୍ତାକୁ ସେହି ହୀନସ୍ତା । ୱାର୍ଡ ଭିତରେ ଡ୍ରେନ ପାଣି ଜମୁଥିବାରୁ ହନ୍ତସନ୍ତ ହେଉଛନ୍ତି ୪୦ରୁ ଉର୍ଦ୍ଧ୍ଵ ଲୋକେ । ସେପଟେ ଆଗକୁ ଆସୁଛି ମୌସୁମୀ । ଆଗାମୀ ଦିନରେ ଜଗତସିଂହପୁର ସହର ଏବଂ ପୌର ପରିଷଦ ଅଧିନ ୱାର୍ଡ ଗୁଡିକରେ ରହିଥିବା ମାଧପୁର, ନାଗପୁର ଏବଂ ପାଣିସାଳିଆ ଡ୍ରେନେଜ ଅଧିନ ଅଞ୍ଚଳ ଗୁଡ଼ିକର ଅବସ୍ଥା କଣ ରହିବ ତାହା ଚିନ୍ତାର କାରଣ ପାଲଟିଛି । ଅନ୍ଯପଟେ ପୌର ପରିଷଦ ପକ୍ଷରୁ କୁହାଯାଉଛି କାମ ଚାଲିଛି ଆଉ ଡ୍ରେନେଜକୁ ଚିଠି ଲେଖା ହୋଇଛି ।