ଖ୍ରୀଷ୍ଟ କଲେଜର ତୁଷାରକାନ୍ତ ଆତ୍ମହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କଲା ଜଗତପୁର ପୋଲିସ

କଟକ: କଟକ ଖ୍ରୀଷ୍ଟ କଲେଜର ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲା। ମାମଲାରେ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଜଗତପୁର ପୋଲିସ। ଗିରଫ ଦୁଇଜଣ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ। ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ତୁଷାରକାନ୍ତଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯାତନା ଦିଆଯାଉଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ତୁଷାରକାନ୍ତ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତଦନ୍ତକାରୀ ଅଧିକାରୀ ପି.କେ ଦାସ ସଂପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗତ ୨୫ ତାରିଖରେ ତୁଷାରଙ୍କ ବାନ୍ଧବୀ ବୁଲବୁଲ ସମେତ ତାଙ୍କ ବଡ଼ ଭଉଣୀ ଓ ପୁରୁଷବନ୍ଧୁ ନାମରେ ଧାରା ୩୦୬, ୩୪ରେ ମାମଲା ରୁଜୁ କରିଥିଲା କମିଶନରେଟ ପୋଲିସ। ଏନେଇ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟକୁ ଅବଗତ କରାଇଥିଲେ କଟକ ଡିସିପି। ତୁଷାର ଅଗଷ୍ଟ ୩ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ପଛରେ ବାନ୍ଧବୀ ଓ ଅନ୍ୟ ୫ଜଣଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ କରିଥିଲେ। ପୋଲିସ ୫ ତାରିଖରେ ଯୋବ୍ରା ଆନିକଟ ପାଖରୁ ତୁଷାରଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା। ମାତ୍ର, ପୋଲିସ ଏହାକୁ ଆତ୍ମହତ୍ୟା ଦର୍ଶାଇ ତଦନ୍ତ ଆଗକୁ ନବଢାଇବାରୁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ତୁଷାରଙ୍କ ବାପା।

Leave a Reply