ଜେ.ପି ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ: ପଢ଼ନ୍ତୁ କ’ଣ ରହିଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା । ବିଜେପିର ରାଷ୍ଟ୍ରୀୟ ନିର୍ବଚାନ ଅଧିକାରୀ ରାଧାମୋହନ ସିଂହ ସଭାପତିଭାବେ ଜେପି ନଡ୍ଡାଙ୍କ ନାଁ ଘୋଷଣା କରିଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନେଇ ଆଜି ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଦାଖଲର ଶେଷ ସମୟ ସାଢ଼େ ୧୨ଟା ଯାଏଁ ରହିଥିଲା । ଜେ.ପି ନଡ୍ଡାଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରିନଥିଲେ । ସାଢ଼େ ୨ଟା ଯାଏଁ ନାମାଙ୍କନ ପ୍ରତ୍ୟାହାରର ସମୟ ଅବଧି ରଖାଯାଇଥିଲା

ଜେ.ପି ନଡ୍ଡା ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ସେ ଆଗାମୀ ୩ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଦିଲ୍ଲୀ ସମେତ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ  ।

ସୂଚନାଯୋଗ୍ୟ , ଗତବର୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିଲେ ସୁଦ୍ଧା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।  ନରେନ୍ଦ୍ର ମୋଦି ହିମାଚଳର ପ୍ରଭାରୀ ଥିବା ସମୟରେ ଜେ.ପି ନଡ୍ଡା ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ଅଶୋକ ରୋଡ୍ ସ୍ଥିତ ବିଜେପି ମୁଖ୍ୟାଳୟର ଆଉଟ୍ ହାଉସ୍‌ରେ ରହୁଥିଲେ ନଡ୍ଡା । ମୋଦି ସରକାରର ପ୍ରଥମ କାର୍ଯକାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଜେ.ପି ନଡ୍ଡା ।

ନିଜ ରାଜନୀତିକ ଜୀବନ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଜମ୍ମୁ କଶ୍ମୀର, ପଞ୍ଜାବ, ହରୟାଣା, ଛତିଶଗଡ଼, ତେଲେଙ୍ଗାନା, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟର ପ୍ରଭାରୀ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ବିଜେପି ସଂସଦୀୟ ବୋର୍ଡର ସଦସ୍ୟ ଓ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ କରାଗଲ । ୨୦୧୯ ଲୋକସଭା ନିର୍ବାଚନରେ ନଡ୍ଡାଙ୍କୁ ଅମିତ ଶାହା ଉତ୍ତରପ୍ରଦେଶ ଦାୟିତ୍ୱ ଦେଇଥିଲେ । ଦଳ ଏଠାରେ ୫୦%ରୁ ଅଧିକ ଭୋଟ ହାତେଇବା ସହ ୬୪ ସିଟ୍ ପାଇଛି ।

 

 

Leave a Reply