ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଜଳିଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ନନ୍ଦିଘୋଷ ବ୍ୟୁରୋ: ଜାଗର ଉପଲକ୍ଷେ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଜଳିଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରେ ଏହି ପଞ୍ଚଦଶ ତମ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ ଜଳାଯାଇଛି । ସନ୍ଧ୍ୟା ସମୟରେ ଏହି ବୃହତ୍ ଦୀପ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଆସି ପ୍ରଜ୍ବଳନ କରାଯାଇଥିଲା । ପ୍ରତିବର୍ଷ ମାଟି ଦୀପ ଜଳାଯାଉଥିବାବେଳେ ଗତବର୍ଷ ଠାରୁ ଏହାକୁ ଅଷ୍ଟଧାତୁରେ ନିର୍ମାଣ କରାଯାଇଛି । ପ୍ରାୟ ୬ଫୁଟ ଲମ୍ବ ,୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦୀପରେ ଦେଢ଼ କୁଇଣ୍ଟାଲ ଘିଅ ରହିପାରିବ । ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ଜାଗର ଦିନ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବ । ୬ ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ଏହି ଦୀପରେ ବ୍ୟବହାର କରାଯାଇଛି । ବିଶ୍ଵଶାନ୍ତି ତଥା ଜଗତ କଲ୍ୟାଣ ପାଇଁ ଏହି ଦୀପ ପ୍ରତ୍ୟେକ ବର୍ଷ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ବଳନ କରାଯାଉଛି ।