ଆଜି ୩ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି  । ଚାରମାଳ ପିନ୍ଧା ସହିତ ସେନାପଟା ବନ୍ଧା ଗୁପ୍ତନୀତି ଅନୁଷ୍ଠିତ ହେବ  । ଏଥିପାଇଁ ଆଜି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ  । ଅନ୍ୟପଟେ ଅଣସରରେ ରହିବା ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ  । ଆସନ୍ତାକାଲି ଘଣ୍ଟଘଣ୍ଟା କାହାଳୀ ସହିତ ଉତ୍ସବରେ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।

 

ବିଶ୍ବ ନିୟନ୍ତା ମହାପ୍ରଭୁ। ବେଶ୍ ସ୍ବତନ୍ତ୍ର ତାଙ୍କର ଲୀଳାଖେଳା  । ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ବରରେ ପିଡୀତ ହେବେ ଶ୍ରୀଜିଉ  । ଉପଚାର ଲାଗି ଅଣସର ଘରେ ଚାଲିବ ଗୁପ୍ତସେବା  । ଏହି ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ବରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଓ ସୁଦର୍ଶନଙ୍କ ସ୍ଥାନରେ ପୂଜା ପାଇବେ ପତିତପାବନ । ଏଥିପାଇଁ ପଟିଚିତ୍ର ପ୍ରସ୍ତୁତ କରୁଛନ୍ତି ଚିତ୍ରକର ସେବାୟତ । ସ୍ନାନ ପୂର୍ଣ୍ଣିମାରେ ଘଣ୍ଟଘଣ୍ଟା କାହାଳୀ ବଜାଇ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।‌

 

ପଟି ଦିଅଁ ପାଇଁ ଶୀତଳଷଷ୍ଠୀରୁ ଆରମ୍ଭ ହୋଇଥାଏ ପ୍ରକ୍ରିୟା  ।  ପନ୍ତି ଭୋଗ ସରିବା ପରେ ଚିତ୍ରକର ପଟି ଲାଗି କରିଥାନ୍ତି । ରୁକ୍ମିଣୀ ହରଣ ଏକାଦଶୀରୁ ରଙ୍ଗ ଦେଇ ଏହାକୁ ଚିତ୍ରିତ‌ କରାଯାଇଥାଏ । ଶଙ୍ଖ ଗୁଣ୍ଡରୁ ଧଳା ରଙ୍ଗ, ହିଙ୍ଗୁଳା, ହରିତାଳ, ରାଶି ତେଲ ଦୀପରୁ କଳା, ଖଣ୍ଡ ନେଳି, ପଟା, ଗେରୁ, କଇଁଥ ଅଠା ଆଦି ପାରମ୍ପରିକ ରଙ୍ଗରେ ପଟି ଦିଅଁ ପ୍ରସ୍ତୁତି କରାଯାଇଥାଏ  । ଏହି ସମୟରେ ସେବାୟତଙ୍କ ସପରିବାର ହବିଷାନ୍ନ କରି ଶୁଦ୍ଧପୂତ ଭାବେ କାର୍ଯ୍ୟ ସଂପାଦନ କରିଥାନ୍ତି  ।