ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୮ଟା ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ବାରଣ

ପୁରୀ : ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର। ଏଥିପାଇଁ ସକାଳ ୮ଟା ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ବାରଣ କରାଯିବ। ରତ୍ନଭଣ୍ଡାର ଯାଞ୍ଚ କମିଟିର ୧୧ ଜଣିଆ ସଦସ୍ୟ ଭଣ୍ଡାର ଘରକୁ ପ୍ରବେଶ କରିବେ  । ସକାଳ ୯ଟା ୫୧ ରୁ ୧୨ ଟା ୧୫ ପର୍ଯ୍ୟନ୍ତ ଶୁଭବେଳା ରହିଛି । ସେହି ସମୟ ମଧ୍ୟରେ ପ୍ରବେଶ କରିବେ ଯାଞ୍ଚ କମିଟି ସଦସ୍ୟ । କମିଟି ସହ, ସ୍ନେକ ହେଲ୍ପଲାଇନ ସଦସ୍ୟ, ଓଡ୍ରାଫ ଟିମ, ଏନଡିଆରଏଫ ଟିମ ସହ ଯାହା ବି ସରଞ୍ଜାମ ଆବଶ୍ୟକ ରହିଛି, ତାହାକୁ ଭିତରକୁ ନିଆଯିବ। ଗତ ୧୪ ତାରିଖ ଦିନ ବାହାର ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଚାଙ୍ଗଡ଼ା ଘରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଥିଲା।

ଗତଥର ଭିତର ରତ୍ନଭଣ୍ଡାରର ୩ଟି ତାଲାକୁ ଭଙ୍ଗାଯାଇଥିଲା। ପରେ ଭିତର ରତ୍ନଭଣ୍ଡାରରେ ଦୁଇଟି ନୂତନ ତାଲା ପକାଯାଇ ସିଲ୍ କରାଯାଇଥିବା ବେଳେ ଭଣ୍ଡାର ଘରର ରତ୍ନକୁ ସ୍ଥାନାନ୍ତର ପାଇଁ ଅନ୍ୟ ଏକ ଦିନ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଭଣ୍ତାର ଘର ଖୋଲିବା ପରେ ସମସ୍ତ ରତ୍ନ ଅଳଙ୍କାର ଗୁଡିକୁ ସ୍ଥାନାନ୍ତର ପ୍ରକ୍ରିୟାର ବିଧିବଦ୍ଧ ଫଟୋ ଏବଂ ଭିଡିଓଗ୍ରାଫି କରାଯିବ। ଭଣ୍ଡାର ଘର କାନ୍ଥକୁ ଲାଗିକରି ଆଲମିରା ଏବଂ ସିନ୍ଦୂକ ରହିଥିବା ବେଳେ ସେଗୁଡିକରେ ଥିବା ମୂଲ୍ୟବାନ ରତ୍ନ ଏବଂ ଅଳଙ୍କାର ଗୁଡିକୁ ନୂତନ ସିନ୍ଦୂକକୁ ସ୍ଥାନାନ୍ତର କରାଯାଇ ରଖାଯିବ। ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ଏଏସଆଇ ଓ ବୈଷୟିକ ଟିମ୍ ଦ୍ବାରା ଭଣ୍ତାର ଗୃହ ଯାଞ୍ଚ ଶେଷ କରି ପୁନର୍ବାର ତାକୁ ବନ୍ଦ କରିଦିଆଯିବ। ପରବର୍ତ୍ତୀ ସମୟରେ ଏହାର ମରାମତି ନେଇ ପଦକ୍ଷେପ ନିଆଯିବ। ପରେ ରତ୍ନ ଅଳଙ୍କାର ଗୁଡିକର ଗଣତି ମଣତି ନେଇ ପଦକ୍ଷେପ ନିଆଯିବ।