୧୮ ତାରିଖ ପରେ ସ୍ପଷ୍ଟ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ରହସ୍ୟ

ପୁରୀ: ୧୮ ତାରିଖରେ ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ବୈଜ୍ଞାନିକ ପଦ୍ଧତିରେ ଭଣ୍ଡାର ଘରର ହେବ ଯାଞ୍ଚ। ଖୋଲିପାରେ ଗୁପ୍ତ ସୁଡ଼ଙ୍ଗର ରହସ୍ଯ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏଏସଆଇର ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ ରତ୍ନ ଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ କରିବେ । ଭଣ୍ଡାର ଗୃହ ଭିତରେ ଗୁପ୍ତ ସୁଡଙ୍ଗ, କୋଠରୀ ଓ ଗୁପ୍ତ ରାସ୍ତା ଥିବା ନେଇ ଚର୍ଚ୍ଚା ଉପରେ ସବୁକିଛି ଯାଞ୍ଚ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ହେତୁ ଏହାର ଶୀଘ୍ର ମରାମତି କରିବାକୁ ସେବାୟତ ଅନୁରୋଧ କରିଛନ୍ତି । ରତ୍ନ ଭଣ୍ଡାର କମିଟି ନିଷ୍ପତ୍ତି ଅନୁସାରେ ଏହି କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଶୃଙ୍ଖଳିତ ଯାଞ୍ଚ ପାଇଁ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି ।
ଯାଞ୍ଚ କାର୍ଯ୍ଯରେ ଏଏସଆଇକୁ ହାଇଦ୍ରାବାଦର ଇଣ୍ଡିଆନ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଦୁଇଜଣ ବୈଜ୍ଞାନିକ ସହାୟତା କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ ଦିନ ଦ୍ଵିତୀୟ ଭୋଗମଣ୍ଡପ ପରେ ପରେ ଦିନ ଗୋଟାଏରୁ ସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାଞ୍ଚ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବାକୁ ଥିବା ବେଳେ କେବଳ ମହାପ୍ରସାଦ କିଣିବାକୁ ଯାଇପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତ୍ତରଦ୍ୱାର ବାଟେ ପ୍ରସ୍ଥାନ କରିବେ ବୋଲି ନିଷ୍ପତି ନିଆଯାଇଛି । ବିଧି ବ୍ୟବସ୍ଥା ମଧ୍ୟରେ ସବୁ କାର୍ଯ୍ୟ କରାଯିବାକୁ ଲକ୍ଷ୍ଯ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ପୂର୍ବରୁ ରତ୍ନଭଣ୍ଡାରରୁ ସୁରକ୍ଷିତ ଭାବେ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାର ଗୃହକୁ ସ୍ଥାନାନ୍ତରିତ ହୋଇଥିବାବେଳେ ଆଲମୀରା ଓ ସିନ୍ଧୁକ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି ।