ସୁନାବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ତିନି ଠାକୁର

ପୁରୀ: ରଥ ଉପରେ ଅପୂର୍ବ ଦୃଶ୍ୟ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ । ରଥରେ ସ୍ବର୍ଣ୍ଣ ଅଳଙ୍କାରରେ ଶ୍ରୀଙ୍ଗାର ସରିବା ପରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ତିନି ଠାକୁର ।

ରଥାରୂଢ଼ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦେଖିବାକୁ ପୁରୀରେ ହୋଇଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓ୍ବାନ୍ ଓ୍ବେ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଗୋଟିଏ ରାସ୍ତାରେ ଆସି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଷ ଦର୍ଶନ କରୁଛନ୍ତି । ଏହାପରେ ଆଗକୁ ବଢ଼ି ଦେବୀ ସୁଭଦ୍ରା ଏବଂ ପରେ ବଡ଼ ଠାକୁର ବଳଭଦ୍ରଙ୍କ ଦର୍ଶନ କରି ସେହି ପଡ଼ ଦେଇ ଫେରୁଛନ୍ତି ।

ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ଶ୍ରୀଜିଉମାନେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ।

ରଥ ଉପରେ ତିନି ଠାକରୁଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲା ଯାଇଥିବାରୁ ମନ୍ଦିର ପରିସରରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଚଳିତବର୍ଷ ସେହିଠାରୁ ସୁନାବେଶ ପାଇଁ ଶ୍ରୀଜିଉଙ୍କ ସ୍ବର୍ଣ୍ଣ ଅଳଙ୍କାର ଅଣାଯାଇଥିଲା । ସେବାୟତ ମାନେ ବାଇଶ ପାହାଚ ଦେଇ ତିନି ଠାକୁରଙ୍କ ସ୍ବର୍ଣ୍ଣ ଅଳଙ୍କାର ବୋହି ଆଣିଥିଲେ । ଏହାପରେ ରଥ ଉପରେ ଆରମ୍ଭ ହୋଇଥିଲା ତିନିଠାକୁରଙ୍କ ସୁନାବେଶ ।