ଗାଁରୁ ଗାଁ ବୁଲୁଛି ଜଗନ୍ନାଥ ରଥ, ସଂଗ୍ରହ ହେଉଛି ଗୁଆ-ଚାଉଳ

ପୁରୀ: ୧୭ରେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଅତ୍ୟନ୍ତ ଭବ୍ୟ ହେବାକୁ ଯାଉଛି ଏହି ଲୋକାର୍ପଣ ଉତ୍ସବ । ଏହା ମାଧ୍ୟମରେ ବିଶ୍ବ ଜାଣିବ ଓଡ଼ିଶାରେ ହେଉଥିବା ଦେବସ୍ଥଳର ରୂପାନ୍ତରଣ ସମ୍ପର୍କରେ । ପରିକ୍ରମା ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଗାଁକୁ ଗାଁ ବୁଲୁଛି ମହାପ୍ରଭୁଙ୍କ ଜଗନ୍ନାତ ରଥ । ପ୍ରତି ଘରୁ ସଂଗ୍ରହ କରାଯାଉଚି ଗୁଆ ଓ ଅରୁଆ ଚାଉଳ ।

ମହାପ୍ରଭୁଙ୍କ ପବିତ୍ର କାମ ପାଇଁ ଆରାଧ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି ଭକ୍ତ । ଗତକାଲିଠୁ ଆରମ୍ଭ ହୋଇଛି ଗୁଆ, ଅରୁଳା ଚାଉଳ ସଂଗ୍ରହ । ପରିକ୍ରମା ରଥ ମାଧ୍ୟମରେ ପ୍ରତି ଘରୁ ଏହାକୁ ସଂଗ୍ରହ କରାଯାଉଛି । ସାହିରୁ ଗଳିକନ୍ଦି, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛନ୍ତି ସଂକୀର୍ତ୍ତନ ମଣ୍ଡଳୀ । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରୁଛନ୍ତି । ଏହାକୁ ଗାଁର ଜଗନ୍ନାଥ ମନ୍ଦିରରେ ରଖାଯାଉଛି । ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସବୁ ପଞ୍ଚାୟତରୁ ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ଏହି ଐତିହାସିକ ନିଷ୍ପତ୍ତି ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଜଗନ୍ନାଥ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ  ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି, ଯାହା ମହାପ୍ରଭୁଙ୍କୁ ସମର୍ପଣ କରାଯିବ । ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ବୁଲିବ ଜଗନ୍ନାଥ ରଥ। ।