ଶରୀରରୁ କମିଲା ତାତି, ଶୟନ ଅବସ୍ଥାରୁ ଉଠିଲେ ମହାପ୍ରଭୁ

ନନ୍ଦିଘୋଷ ବ୍ୟୁରୋ: ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଣସର ତାଟିରେ ଦଇତାପତି ସେବାୟତଙ୍କ ଗୁପ୍ତ ସେବା ପରେ ଓହ୍ଲାଇଛି ଜ୍ବର ତାତି । ଆଜି ଉଠି ବସିବେ ଜଗତର ନାଥ । ଅଣସର ଦଶମୀ ଅବସରରେ ଅନୁଷ୍ଠିତ ହେଲା ଚକାବିଜେ ନୀତି । ଶ୍ରୀବିଗ୍ରହଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଶ୍ରୀବଦ୍ଯଙ୍କ ଦ୍ବାର ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ । ଆଜି ମଧ୍ଯାହ୍ଣ ଧୂପ ପରେ ଶ୍ରୀମନ୍ଦିର ଗାରଦରେ ଜମା ହେବା ପରେ ଏକାଦଶୀରେ ଏହା ଶ୍ରୀଜୀଉଙ୍କୁ ଲାଗି କରାଯିବ ।

ଶରୀରରୁ କମିଲା ତାତି । ଶୟନ ଅବସ୍ଥାରୁ ଉଠିଲେ ମହାପ୍ରଭୁ । ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ଶ୍ରୀବିଗ୍ରହଙ୍କ ସେବାରେ ଦଇତା ପତି । ଅଣସର ତାଟି ଭିତରେ ୧୦ ଦିନ ଧରି ଉପଚାର ପରେ ସୁସ୍ଥ ହେଉଛନ୍ତି ଶ୍ରୀଜୀଉ । ଶ୍ରୀଅଙ୍ଗରୁ ତାତି କମିବା ପରେ ଦଶମୀରେ ଚକାବିଜେ କରିବେ ଜଗତନାଥ । ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବା ପରେ ଲାଗି ହୋଇଛି ଚକଟା ଓ ପଣା ଭୋଗ ।

ଶ୍ରୀବିଗ୍ରହଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବାକୁ ଆୟୁର୍ବେଦ ପଦ୍ଧତିରେ ଚାଲିଛି ଉପଚାର । ଏଥିପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ପ୍ରସ୍ତୁତ କରାଯାଇଛି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟ ମିଶାଇ ଦଶମୂଳାରିଷ୍ଟ ପ୍ରସ୍ତୁତ କରିଛନ୍ତି ଶ୍ରୀବୈଦ୍ଯ । ମଧ୍ୟାହ୍ଣ ଧୂପ ପରେ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର ପରେ ଏକାଦଶୀ ଦିନ ଏହା ଶ୍ରୀଜୀଉଙ୍କୁ ଲାଗି କରାଯିବ । ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ସେବେଠାରୁ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମହାପ୍ରଭୁଙ୍କୁ ଲାଗି କରାଯାଉଛି । ଅତ୍ଯନ୍ତ ସୁଦ୍ଧପୂତ ଭାବେ ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ଏହାକୁ ପ୍ରସ୍ତୁତ କରିଥାନ୍ତି ରାଜବୈଦ୍ଯ । ଦଶମୂଳମୋଦକ ସେବନ ପରେ ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଯାଇ ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ। ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ସେବାୟତ  ।