ଜଗାକୁ ନେଇ ଗାଁକୁ ଯିବାକୁ ଏସସିବି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ବାପା, ମାଆ

1 min read

କଟକ: ଦିଲ୍ଲୀରୁ ଓଡ଼ିଶା ଆସିବା ପରେ ଏବେ ଜଗା, କାଳିଆଙ୍କ ବାପାମାଆଙ୍କୁ ଘାରିଲାଣି ଗାଁ ନିଶା । ସୁସ୍ଥ ହୋଇଥିବା ଜଗାକୁ ନେଇ ଗାଁ ବୁଲି ଆସିବାକୁ ଜଗା, କାଳିଆଙ୍କ ବାପାମାଆ ଇଚ୍ଛା ପ୍ରକାଶ କରିଛନ୍ତି । ଜଗା, କାଳିଆଙ୍କ ସହ ସେମାନେ ଏବେ କଟକ ଏସ୍‌ସିବି ମେଡିକାଲରେ ଅଛନ୍ତି । ଗାଁକୁ ଯାଇ ବୁଲି ଆସିବାକୁ ଅନୁମତି ଦେବା ପାଇଁ ସେମାନଙ୍କ ପକ୍ଷରୁ କଟକ ଏସ୍‌ସିବି ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଛି । ଏସ୍‌ସିବି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଅନୁମତି ମାଗିଛନ୍ତି । ଅନୁମତି ମିଳିଲେ ଜଗାକୁ ନେଇ ବାପାମାଆ କନ୍ଧମାଳ ଜିଲ୍ଲାରେ ଥିବା ନିଜ ଘରକୁ କିଛି ଦିନ ପାଇଁ ଯିବେ । କାଳିଆ ଅସୁସ୍ଥ ଥିବାରୁ ଏସ୍‌ସିବିରେ ରହିବ ।

ଫାଇଲ ଫଟୋ

୨୦୧୭ ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍‌ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ସଫଳତାର ସହ ଅଲଗା କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଦିଲ୍ଲୀ ଏମ୍‌ସରେ ଦୀର୍ଘଦିନ ଚିକିତ୍ସା ପରେ ଜଗା-କାଳିଆ ଗତ ସେପ୍ଟେମ୍ବର ୮ ତାରିଖରେ ଓଡ଼ିଶା ଫେରିଥିଲେ । ଓଡ଼ିଶା ଫେରିବା ପରେ ଦୁହିଁଙ୍କ ଚିକତ୍ସା ଏସ୍‌ସିବିରେ ଚାଲିଛି । ରାଜ୍ୟ ସରକାର ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଏବେ ଜଗା ସୁସ୍ଥ ଥିବାରୁ ତାକୁ ନେଇ ଗାଁ ବୁଲି ଆସିବାକୁ ବାପାମାଆ ଇଚ୍ଛା ପ୍ରକାଶ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା ।

Leave a Reply