ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣା: ପଣବନ୍ଦୀ ଥିବା ୨୧୪ ସୈନ୍ୟଙ୍କୁ ହତ୍ୟା କଲେ ବଲୁଚ୍ ବିଦ୍ରୋହୀ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣାରେ ପଣବନ୍ଦୀ ଥିବା ୨୧୪ ସୈନ୍ୟଙ୍କୁ ହତ୍ୟା। ଏହି ଦାବି କରିଛନ୍ତି ବଲୁଚ୍ ବିଦ୍ରୋହୀ । ୨୧୪ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରାଯାଇଥିବା ବଲୁଚ ଲିବରେସନ ଆର୍ମି ଘୋଷଣା କରିଛି । ଏଥିଲାଗି ପାକିସ୍ତାନ ଆର୍ମିକୁ ଦାୟୀ କରିଛି ବିଏଲଏ । ଗତ ମଙ୍ଗଳବାର ବଲୁଚ ବିଦ୍ରୋହୀମାନେ ଏକ ଟ୍ରେନକୁ ଅପହରଣ କରିନେଇଥିଲେ । କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ସେମାନେ ହାଇଜାକ କରିନେଇଥିଲେ । ବୁଧବାର ପାକିସ୍ତାନ ସେନା ସମସ୍ତ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଛି ବୋଲି ଘୋଷଣା କରିଥିଲା । ହେଲେ ପ୍ରକୃତରେ ତାହା ଏକ ଉଡ଼ା ଖବର କହି ଏହାକୁ ଖାରଜ କରିଥିଲା ବିଏଲଏ । ଟ୍ରେନ ଅପହରଣ ବେଳେ ସେଥିରେ ୪୫୦ରୁ ଅଧିକ ଯାତ୍ରା ଥିଲେ । ବୃଦ୍ଧ, ମହିଳା ଓ ପିଲାକୁ ଛାଡ଼ି ଦେଇଥିଲା ବୋଲି କହିଥିଲା। ତା ପରେ ୨୧୪ ପଣବନ୍ଦୀ ସୈନ୍ୟଙ୍କୁ ହତ୍ୟା କରିଥିବା ବିଏଲଏ ପକ୍ଷରୁ କୁହାଯାଇଛି। ସେମାନଙ୍କ ମୁକ୍ତି ପାଇଁ ପାକିସ୍ତାନ ପକ୍ଷରୁ କୌଣସି ଉଦ୍ୟମ ନ ହେବା, ବିଏଲଏର ସର୍ତ୍ତ ନ ମାନିବା ଯୋଗୁଁ ଚରମ ପଦକ୍ଷେପ ନିଆଯାଇଥିବା କହିଛି ବିଏଲଏ।