ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ଦିଲ୍ଲୀ ପୋଲିସର ସମନ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଘଟଣା । ଆସନ୍ତାକାଲି ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଫସିଛନ୍ତି ଜ୍ୟାକଲିନ । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଏହା ହେଉଛି ତୃତୀୟ ସମନ ।

ଗତ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୧୨ରେ ସମନ ସତ୍ତ୍ବେ ହାଜର ହୋଇ ନଥିଲେ ଅଭିନେତ୍ରୀ । କିଛି ଦିନ ତଳେ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଥିଲା ଇଓଡବ୍ଲୁ । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା ।

ଜ୍ୟାକଲିନଙ୍କୁ ସୁକେଶ ୫ କୋଟି ଟଙ୍କାର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।