ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ, ବଢିଲା ଗିରଫ ଭୟ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଘଟଣା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଜାମିନ ମାମଲାର ଶୁଣାଣି । ଜ୍ୟାକଲିନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ବିରୋଧ । ଜାମିନ ମିଳିଲେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଛି ଇଡି । ଯୁକ୍ତି ବେଳେ କାହିଁକି ଜ୍ୟାକଲିନଙ୍କୁ ଗିରଫ କରାଯାଇନାହିଁ ବୋଲି କୋର୍ଟ କହିଥିବା ସୂଚନା ମିଳିଛି ।

ଆମେ ସାରା ଜୀବନରେ ନଗଦ ୫୦ ଲକ୍ଷ ଟଙ୍କା କେବେ ଦେଖିନାହୁଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିଲା । ମାତ୍ର କେବଳ ଉପଭୋଗ ଲାଗି ଜ୍ୟାକଲିନ ୭ କୋଟି ୧୪ ଲକ୍ଷ ଟଙ୍କା ଉଡାଇଦେଲେ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଲାଗି ସେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିଛନ୍ତି । ସେପଟେ ବିଦେଶକୁ ଖସିଯିବା ଆଶଙ୍କା ଥିବାରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି ଇଡି । ଉଭୟ ପକ୍ଷର ଯୁକ୍ତି ପରେ ଆସନ୍ତାକାଲି ଯାଏ ରାୟ ସ୍ଥଗିତ ରଖିଛନ୍ତି କୋର୍ଟ ।

୨୦୦ କୋଟି ଟଙ୍କାର ଠକେଇ ଘଟଣାରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ ହାଜର ହୋଇଥିଲେ । ମାମଲାରେ ଜ୍ୟାକଲିନଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ମତ ରଖିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନିଜର ଯୁକ୍ତି ଉପସ୍ଥାପିତ କରାଯାଇଥିଲା । ପୂର୍ବରୁ ନଭେମ୍ବର ୧୦ ତାରିଖ ଯାଏ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ କୋର୍ଟ । ଜ୍ୟାକଲିନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା । ପୂର୍ବରୁ ମଧ୍ୟ ଜ୍ୟାକଲିନଙ୍କ ନିୟମିତ ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା । ତଦନ୍ତ ଚାଲିଥିବାବେଳେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।