ଚନ୍ଦ୍ରଯାନ-୩: ଶିବ ଶକ୍ତି ପଏଣ୍ଟରେ ହେଉଛି ସକାଳ, ସ୍ଲିପ ମୋଡରୁ ଉଠିପାରିବେ କି ବିକ୍ରମ-ପ୍ରଜ୍ଞାନ?

1 min read

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁଠାରୁ ୬୦୦ କିମି. ଦୂରରେ ଅବସ୍ଥିତ ଶିବ ଶକ୍ତି ପଏଣ୍ଟରେ ସକାଳ ହେବାକୁ ଯାଉଛି। ଏହି ସୌର ରଶ୍ମି ଯୋଗୁଁ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠକୁ ଆଲୋକିତ କରିବ । ତେବେ ଏହି ସକାଳକୁ ନେଇ ଭାରତ ମନରେ ଭରି ରହିଛି ଅନେକ ଆଶା। ଶୁକ୍ରବାର ଦିନ ଚନ୍ଦ୍ରପୃଷ୍ଠ ସମ୍ପୂର୍ଣ୍ଣ ଆଲୋକିତ ହେବାକୁ ଥିବା ବେଳେ ସୂର୍ଯ୍ୟକିରଣ ପ୍ରଭାବରେ ସ୍ଲିପ ମୋଡରୁ ବିକ୍ରମ ଓ ପ୍ରଜ୍ଞାନ ଉଠିବେ ବୋଲି ଆଶା କରାଯାଉଛି।

ଯଦିଓ ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଅଛି କିନ୍ତୁ ତାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି । ପ୍ରଜ୍ଞାନ୍ ରୋଭରର ମଧ୍ୟ ସମାନ ଅବସ୍ଥା । ସେପ୍ଟେମ୍ବର ୨୨ରେ  ISRO ପକ୍ଷରୁ ପୁନର୍ବାର ବିକ୍ରମ ଲାଣ୍ଡର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବ । ସେତେବେଳକୁ ଲ୍ୟାଣ୍ଡର ଭିତରେ ଥିବା ବ୍ୟାଟେରୀ ଚାର୍ଜ ହୋଇସାରିଥିବ।

ବିକ୍ରମ ଲାଣ୍ଡରଙ୍କୁ ସେପ୍ଟେମ୍ବର ୪ ତାରିଖରେ ସ୍ଲିପ ମୋଡ କରିଦିଆଯାଇଥିଲା । ପରେ ଏହାର ସମସ୍ତ ପେଲୋଡ୍ସକୁ ବନ୍ଦ କରାଯାଇଥିଲା ବେଳେ କେବଳ ରିସିଭର୍ ଅନ୍ ଥିଲା । ସେ ସମୟରେ ବେଙ୍ଗାଲୁରୁ ସ୍ଥିତ ISTRAC ଦ୍ୱାରା ସମସ୍ତ ତଥ୍ୟ ସଂଗ୍ରହ କରିନିଆଯାଇଥିଲା ।

ଚନ୍ଦ୍ରପୃଷ୍ଠ ଆଲୋକିତ ହେବା ପରେ କ’ଣ ହେବ?

ଲ୍ୟାଣ୍ଡର ଏବଂ ରୋଭରରେ ସୋଲାର ପ୍ୟାନେଲ ଲାଗିଛି । ଯେପର୍ଯ୍ୟନ୍ତ ସେମାନେ ସୂର୍ଯ୍ୟ କିରଣ ପାଇବେ ସେଯାଏଁ ବ୍ୟାଟେରୀ ଚାର୍ଜ ହୋଇ ରହିବ । ତେବେ ସୂର୍ଯ୍ୟ ଉଦୟ ହେବା ପରେ ଦୁହେଁ ପୁନର୍ବାର ସକ୍ରିୟ ହେବା ନେଇ ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। | କିନ୍ତୁ ମାଇନସ୍ ୨୫୦ ଡିଗ୍ରୀ ତଳେ ଥିବା ତାପମାତ୍ରା ରହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁଣିଥରେ ସକ୍ରିୟ ହେବା ଏତେଟା ସହଜ ହେବ ନାହିଁ ।

ନିଦରୁ ଉଠିବା ପରେ ପୁଣି ଚନ୍ଦ୍ରପୃଷ୍ଠରୁ ନୂଆ କିଛି ତଥ୍ୟ ଆସିବା ନେଇ ଆଶା କରାଯାଉଛି। ଏହା ସହ ପୁନର୍ବାର ଚନ୍ଦ୍ରପୃଷ୍ଠର ରହସ୍ୟ ଭେଦିବାରେ ସ୍ପେସ୍ ଏଜେନ୍ସି ଇସ୍ରୋକୁ ଅଧିକ ସୁଯୋଗ ମିଳିବ ବୋଲି ବୈଜ୍ଞାନିକ ମାନେ ଆଶାବାଦୀ ରହିଛନ୍ତି।