ସୁଡ଼ଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଯୁଦ୍ଧସ୍ତରରେ ଉଦ୍ଧାର କଲେ ଆଇଟିବିପି ଯବାନ
1 min read
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଗ୍ଲାସିୟର ଫାଟିବା ପରେ ଆସିଥିବା ବଡ଼ ବନ୍ୟା ଯୋଗୁଁ ତପୋବନ ସୁଡ଼ଙ୍ଗରେ କାମ କରୁଥିବା ଶ୍ରମିକମାନେ ଏଥିରେ ଫସି ରହିଥିଲେ। ସମଗ୍ର ସୁଡ଼ଙ୍ଗ ଅଂଚଳ ପୋତି ହୋଇଯିବା ସଂପର୍କରେ ଖବର ଆସିବାମାତ୍ରେ ଯୁଦ୍ଧସ୍ତରରେ ଆଇଟିବିପି ଯବାନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଗଭୀର ଖାଇ ଭିତରେ ଫସିଥିବା ଲୋକଙ୍କୁ ଠାବ କରି ରସି ସାହାଯ୍ୟରେ ସେମାନଙ୍କୁ ବାହାର କରାଯାଇଛି। ଏହି ସୁଡ଼ଙ୍ଗରେ ଫସିଥିବା ୧୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ବନ୍ୟା ବିପର୍ଯ୍ୟୟ ତପୋବନ ଜଳ ବିଦ୍ୟୁତ ପରିଯୋଜନାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଆଜି ସକାଳୁ ଶ୍ରମିକମାନେ ସୁଡ଼ଙ୍ଗରେ କାମ ଆରମ୍ଭ କରୁଥିଲେ ଏବଂ ଅଚାନକ ବନ୍ୟା ମାଡ଼ି ଆସିବାରୁ ନଦୀ ପାଣି ସାଙ୍ଗକୁ କାଦୁଅରେ ଟନେଲ ଭର୍ତ୍ତି ହୋଇଯାଇଥିଲା। ପୋତି ହୋଇ ରହିଥିବା ଟନେଲ୍ରେ ଫସିଥିବା ଲୋକଙ୍କୁ ଠାବ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା ବୋଲି ଉଦ୍ଧାରକାରୀ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ।
ତେବେ ଏଯାବତ ଜଳ ପ୍ରଳୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ପ୍ରାୟ ୧୭୦ରୁ ଅଧିକ ଲୋକ ଏବେବି ନିଖୋଜ ଥିବା ଆଶଙ୍କା କରାଯାଉଛି । ଏହି ପ୍ରଳୟରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରେ ଏନଟିପିସିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଅଧିକ ଥିବା ଆଶଙ୍କା କରିଛି ପ୍ରଶାସନ।
ITBP ଯବାନଙ୍କ ସହିତ NDRF ଓ SDRG ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆକାଶ ମାର୍ଗରୁ ରେସକ୍ୟୁ ଅପରେସନ୍ ଚାଲିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ପ୍ରାୟ ୬ ଶହ ଯବାନ ଓ ଅନେକ ହେଲିକପ୍ଟର ନିୟୋଜିତ ହୋଇଛି । ଚମେଲି ଜିଲ୍ଲାର ଯୋଶୀମଠରେ ବରଫ ପାହାଡ ଭାଙ୍ଗିବା ଫଳରେ ସୃଷ୍ଟି ହୋଇଥିଲା ହିମସ୍ଖଳନ । କେହି କିଛି ବୁଝିବା ଆଗରୁ ପ୍ରଖର ସ୍ରୋତରେ ପୋକ ମାଛି ପରି ଚାଲି ଯାଇଥିଲା ଅନେକ ଜୀବନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।