ଆଜିଠୁ ଭିଜିବ ଓଡ଼ିଶା, ପଶ୍ଚିମ ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୀର୍ଘଦିନ ପରେ ଆଜିଠୁ ଭିଜିବ ରାଜ୍ୟ। ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ଆଜି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କନ୍ଧମାଳ, କଳହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁରରେ ଝଡ଼ ପବନ ସହ ପ୍ରବଳ ବର୍ଷା ହେବ ।

ଅନ୍ୟପଟେ କାଲି ଏବଂ ୧୭ ତାରିଖରେ ପୂରା ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ୯ ଏବଂ ୧୭ ତାରିଖରେ ୧୩ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ଏଭଳି ପାଗ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୩ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ପୁଣି ଉପରମୁହାଁ ହେବ ପାରଦ ।

ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବର୍ଷା ପାଇଁ ଆସିଛି ଖୁସି ଖବର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାରୁ ବର୍ଷାରେ ବନାଗ୍ନି ଲିଭିବାର ଆଶା ରହିଛି ।