ଆଉ ୬ ମାସ ନୁହେଁ ବର୍ଷକୁ ୯ ମାସ ହେବ ଖରା, ଗରମ
1 min readଭୁବନେଶ୍ବର: ଏଣିକି ୬ ମାସ ନୁହେଁ, ବର୍ଷକୁ ୯ ମାସ ହେବ ଖରା, ଗରମ । ବିଶ୍ବ ତାପାୟନ ଦେଢ଼ ଡିଗ୍ରି ସୀମା ପାର କରିଛି । ୨୦୨୪ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ । ଏହି ବର୍ଷରେ ୪୧ ଦିନ ଅଧିକ ହୋଇଛି ଖରାଦିନ । ବିଶ୍ବ ତାପାୟନ ବୃଦ୍ଧି ନେଇ ଏଭଳି ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ଇଉରୋପର ପରିବେଶ ସଂସ୍ଥା କୋପରନିକସ୍ । ବୈଜ୍ଞାନିକଙ୍କ ଆଶଙ୍କା ଜୈବ ଇନ୍ଧନ ଗାଡ଼ି, କୋଇଲା ବ୍ୟବହାର ହ୍ରାସ ନକଲେ ଜୀବନ ବଞ୍ଚିବା ପାଇଁ ଅମ୍ଲଜାନ ବି ଅଭାବ ପଡ଼ିବ ।
ଖରାଦିନେ ତାତି, ବର୍ଷାରେ ଗୁଳଗୁଳି, ହଜିଗଲାଣି ଶୀତ । ତାତି ଓ ଗରମରୁ ନାହିଁ ନିସ୍ତାର । ବଢୁଛି ସିନା ନିୟନ୍ତ୍ରଣକୁ ଆସୁନି । ବିଶ୍ବ ତାପାୟନ ଯେପରି ବଢି ଚାଲିଛି । ଏଣିକି ଖରାଗରମ ୬ ମାସ ବଦଳରେ ହୋଇପାରେ ୯ ମାସ । ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ଓ ପରିବେଶବିତ୍ । ସେପଟେ ଇଉରୋପର କୋପରନିକସ୍ ପରିବେଶ ସଂସ୍ଥା ରିପୋର୍ଟରେ କୁହାଯାଇଛି ୨୦୨୪ ବର୍ଷ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ । ୭୬ ବର୍ଷ ପୂର୍ବରୁ ଡେଇଁଗଲା ୨୦୧୫ ପ୍ୟାରିସ୍ ତାପମାତ୍ରା କଣ୍ଟ । ଏବର୍ଷ ୩୬୫ ଦିନ ଭିତରେ ଯେତିକି ଦିନ ଗରମ ଅବଧି ରହିବା କଥା ତାଠୁ ଅଧିକ ୪୧ ଦିନ ଅଧିକ ହୋଇଛି । ତାତିରେ ୪ ହଜାର ଲୋକଙ୍କ ପ୍ରାଣ ଯାଇଛି । ଅନେକ ଲୋକ ହୋଇଛନ୍ତି ବିସ୍ଥାପିତ । ଖାଲି ସେତିକି ନୁହେଁ, ତାତି ବଢିବା ସହିତ ବିଶ୍ବ ତାପାୟନ ମଧ୍ୟ ଦେଢ଼ ଡିଗ୍ରି ସୀମା ପାର କରିଛି । ଯାହାକି ଶିଳ୍ପ ବିପ୍ଲବର ପୂର୍ବ ସ୍ଥିତିକୁ ଦର୍ଶାଇଛି । ବୈଜ୍ଞାନିକ ସତର୍କ କଲେଣି, ଶକ୍ତି ଉତ୍ପାଦନ, ପରିବହନ ପାଇଁ ଜୀବାଶ୍ମ ଇନ୍ଧନ ବିଶେଷ କରି କୋଇଲା, ପେଟ୍ରୋଲିୟମ୍ ଉତ୍ପାଦର ବ୍ୟବହାର ଯଦି ହ୍ରାସ ନ କରାଯାଏ ତା’ହେଲେ, ପୃଥିବୀରେ ଜୀବନ ଧାରଣ କରିବା ଅସମ୍ଭବ ହୋଇପଡ଼ିବ । ରିପୋର୍ଟ ଅନୁଯାୟୀ, ଏପରି ଜାରି ରହିଲେ ୨୦୪୦-୫୦ ବେଳକୁ ବିଶ୍ବ ତାପାୟନ ୨ ଡିଗ୍ରୀ ସେଲ୍ସିୟସରୁ ଅଧିକ ହୋଇଯିବ ।
ତାପମାତ୍ରା ବଢିବା ସହିତ ବାୟୁମଣ୍ଡଳରେ ଅମ୍ଲଜାନ ପରିମାଣ ମଧ୍ୟ ହ୍ରାସ ପାଉଛି । ସହରାଞ୍ଚଳରେ ଅମ୍ଲଜାନ ସଂକଟ ଏବେଠୁ ଅନୁଭୁତ ହେଲାଣି । ତା’ ସହିତ ବାୟୁମଣ୍ଡଳରେ ପି.ଏମ୍ ୨.୫ କଣିକା ମାତ୍ରା ଏତେ ହେଲାଣି ଘର ଭିତରେ ବି ସ୍ବଚ୍ଛ ବାୟୁ ଚଳପ୍ରଚଳ କରୁନି । ବେପରୁଆ ଭାବେ କୋଠାବାଡ଼ି ନିର୍ମାଣ ବାୟୁ ପ୍ରଦୂଷଣକୁ ଆହୁରି ୩ ଗୁଣ ବଢାଇ ଦେଇଛି । କୋଇଲାରୁ ନିର୍ଗତ କାର୍ବନ କଣିକା, ପେଟ୍ରୋଲ-ଡିଜେଲ ଦ୍ବାରା ଚାଳିତ ଗାଡ଼ିରୁ ନିର୍ଗତ କାର୍ବନ ମନୋକସାଇଡ୍ ବାୟୁମଣ୍ଡଳକୁ ବିଷାକ୍ତ କରିଦେଲାଣି । ସବୁଜ ଗୃହ ବାଷ୍ପ ବୃଦ୍ଧି ଯୋଗୁଁ ଓଜନ୍ ସ୍ତରରେ ହ୍ରାସ ଘଟୁଛି । ଫଳରେ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ଏବେ ଲୋକଙ୍କ ଦେହରେ ପଡ଼ି ନାନାଦି ରୋଗ ସୃଷ୍ଟି କଲାଣି ।
ଚଳିତବର୍ଷ ହେଉଛି ଏଲ୍-ନିନୋର ବର୍ଷ । ଏବେ ଲା-ନିନୋ ଆରମ୍ଭ ହୋଇଥିଲେ ବି ଶୀତଋତୁରେ ବି ଗରମ ଅନୁଭୁତ ହେଉଛି । ପ୍ୟାରିସ ଚୁକ୍ତିନାମାରେ ଥିଲା ବିଶ୍ବର ସବୁ ରାଷ୍ଟ୍ର ଏକବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ବିଶ୍ବ ତାପାୟନକୁ ଦେଢ଼ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରଖିବେ । ଯାହାକି ଏହି ବର୍ଷ ସେ ସୀମା ପାର୍ କରିସାରିଛି । ଗରମ ସବୁବେଳେ ଅନୁଭୁତ ହେଉଥିବାରୁ ଘରେ ଆଉ ଏୟାର କଣ୍ଡିସନ୍ କାମ କରୁନି । କାରଣ ଏବର ଏସି ମେସିନ୍ ୫୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ ନିୟନ୍ତ୍ରଣ କଲା ଭଳି ସକ୍ଷମ । ଏସି ବ୍ୟବହାର ନକଲେ ଘର ଭିତରେ ରହିବା ଦୁର୍ବିସହ ହେଉଥିବା ସାଧାରଣ ଲୋକେ ପ୍ରକାଶ କରିଛନ୍ତି ।
ଖରାଗରମକୁ ମୁକାବିଲା କରିବା ଅର୍ଥ ଅଧକରୁ ଅଧିକ ସବୁଜ ବନାନୀ ସୃ୍ଷ୍ଟି କରିବା । ଯେପରି ଭାବେ ସହରୀକରଣ କରାଯାଉଛି ତାହା ଯଦି ଆଗାମୀ ଦିନରେ ପରିବେଶ ଅନୁକୂଳ ନ ହୁଏ ତା’ହେଲେ ଆଉ ସେଦିନ ଦୂର ନୁହେଁ, ଲୋକେ ଅମ୍ଲଜାନ ଥଳି ମୁହଁରେ ଲଗାଇ ବାହାରକୁ ବାହାରିବେ ।