ସଂସଦର ସୁରକ୍ଷା ଢିଲା: କେନ୍ଦ୍ରମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କଥା କହିବା ହାସ୍ୟସ୍ପଦ

ଭୁବନେଶ୍ବର: ଆଇନଶୃଙ୍ଖଳା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ଜବାବ । ସଂସଦକୁ କେନ୍ଦ୍ର ସରକାର ସୁରକ୍ଷା ଦେଇ ପାରୁନଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉଠାଇବା ନେଇ ବିଜେପିକୁ ଘେରିଲେ ବିଜେଡି ଓ କଂଗ୍ରେସ । ବିଜେପିକୁ ମିଛର ସୌଦାଗର ବୋଲି କହି କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଦେଶର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଯାହାକୁ ନେଇ ରାଜ୍ୟ ବିଜେପି ନେତା ଅଡୁଆରେ ପଡ଼ିଛନ୍ତି ।

ଗଣତନ୍ତ୍ର ମନ୍ଦିରର ସୁରକ୍ଷା ଢିଲା । ଦେଶର ଆଇନଶୃଙ୍ଖଳା ସ୍ଥିତି ନେଇ ଉଠିଲା ପ୍ରଶ୍ନ । ଏକଥା ଭୁଲି ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ରାଜନୈତିକ ବୟାନବାଜି । ବିଜେପିକୁ ମିଛର ସୌଦାଗର କହିଲା ବିଜେଡି, ଘେରିଲା କଂଗ୍ରେସ । ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତାଙ୍କ ରାଜନୈତିକ ବୟାନବାଜି ବିରୋଧରେ ଉଠିଛି ସ୍ବର । ଓଡ଼ିଶା ଅସୁରକ୍ଷିତ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛି ବିଜେଡି । ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ କହଛନ୍ତି, ଓଡ଼ିଶା ଆଜି ବିଶ୍ଵରେ ସ୍ବତନ୍ତ୍ର ପରିଚୟ ପାଇଛି । ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ହେଲେ କେନ୍ଦ୍ର ସରକାର ସହଯୋଗ ନକରି ରାଜନୈତିକ ବୟାନବାଜି କରିବା ଦୁର୍ଭାଗ୍ୟଜନକ । ସଂସଦକୁ ସୁରକ୍ଷା ଦେଇପାରୁ ନଥିବା ବେଳେ ଓଡ଼ିଶା ଅସୁରକ୍ଷିତ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିବା ହାସ୍ୟାସ୍ପଦ । ବିଜେପି ନେତାମାନେ ପ୍ରଥମେ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ଦେଖନ୍ତୁ, ତା’ପରେ ମନ୍ତବ୍ୟ ଦିଅନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ, ତାହା ଓଡ଼ିଶା ଓ ଭାରତବାସୀ ଭଲ ଭେବେ ଜାଣନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ଯେଭଳି ରାଜନୈତିକ ବୟାନବାଜି କରୁଛନ୍ତି, ତା’ର କଡ଼ା ଜବାବ ଦେଇଛି କଂଗ୍ରେସ । ସଂସଦ ଘଟଣା କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରମାଣିତ କରଛି । ଯେଉଁମାନେ ଗଣତନ୍ତ୍ର ମନ୍ଦିରକୁ ସୁରକ୍ଷା ଦେଇପାରୁନାହାନ୍ତି ସେମାନେ ଅନ୍ୟ ରାଜ୍ୟ କଥା ଉଠାଇବା ହାସ୍ୟାସ୍ପଦ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି । ସେହିପରି ବିଜେପିକୁ ମିଛର ସୌଦାଗର ବୋଲି ବିଜେଡି ବିଧାୟକ ସମୀର ଦାଶ କହିଛନ୍ତି ।

ରାଜ୍ୟରେ ମାଓବାଦୀ ହିଂସା କମିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଅଛି ବୋଲି ବାରମ୍ବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଛି । କିନ୍ତୁ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରମନ୍ତ୍ରୀ ଓଡ଼ିଶା ପ୍ରସଙ୍ଗ ଉଠାଇଥିବାରୁ ବିଜେପିକୁ ବିଜେଡି ଓ କଂଗ୍ରେସ ଘେରିଛନ୍ତି ।