ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ଯମର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଋଷ ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ଦିନ । ତେବେ ରାଜନୈତିକ ବ୍ଯବସ୍ଥାକୁ କରାୟତ୍ତ କରିବା ସହ ଆଉ ୬ ବର୍ଷ ଲାଗି କ୍ଷମତା ହାସଲ କରିବା ଲାଗି ଏହା ଏକ ନାମମାତ୍ର ପ୍ରକ୍ରିୟା ବୋଲି କୁହାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ଯମର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଇଥିବା ଅଭିଯୋଗ କରାଯାଇଛି । ୟୁକ୍ରେନ ସହ ଯୁଦ୍ଧ ତୃତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ ଋଷର ଛୋଟବଡ ବିଜୟକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଶ୍ ଆଶାବାଦୀ ଅଛନ୍ତି । ୧୧ଟି ଟାଇମ ଜୋନରେ ଋଷର ଅବସ୍ଥିତି କାରଣରୁ ଏହି ନିର୍ବାଚନ ତିନି ଦିନ ଧରି ଚାଲିବ । କ୍ରିମିଆ ଓ ମାରିୟୁପୋଲରେ ବି ଭୋଟଦାନ ଚାଲିଥିବା ସୂଚନା ମିଳିଛି ।  ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହେଉଛି । ୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ରହିଛି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି ।

ସେପଟେ ଋଷର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳେ ବିଭିନ୍ନ ସୀମା ଅଞ୍ଚଳରେ ବୋମାମାଡ କରିଛି ୟୁକ୍ରେନ । କେରଳରେ ବି ବାସ କରୁଥିବା ଋଷ ନାଗରିକ ନିଜ ମତ ସାବ୍ୟସ୍ତ କରିଥିବା ସୂଚନା ମିଳିଛି । ଋଷ ଓ ଋଷ ଅଧିକୃତ ଅଞ୍ଚଳରେ ୧୧୨ ଦଶମିକ ୩ ନିୟୁତ ଭୋଟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗତ ୨୦୧୨ରୁ ବର୍ତ୍ତମାନ ଯାଏ ରାଷ୍ଟ୍ରପତି ଅଛନ୍ତି ପୁଟିନ। ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭ।