ଚିକିତ୍ସା ପାଇଁ ଆସିଥିବା ୫ବର୍ଷର ଶିଶୁକୁ ଘରୋଇ ହସପିଟାଲ ପଠାଇଥିବା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ମେଡିକାଲ କଲେଜରେ ଡାକ୍ତରଙ୍କ କାରସାଦି ଅଭିଯୋଗ । ଚିକିତ୍ସା ପାଇଁ ଆସିଥିବା ୫ବର୍ଷର ଶିଶୁକୁ ଘରୋଇ ହସପିଟାଲ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଗତ ୧୪ ତାରିଖରେ ୫ବର୍ଷର ନାତିର ହାଇଡ୍ରୋସିଲ ଅପରେସନ ପାଇଁ ବେଲପଡ଼ାର ଗଣ୍ଡାରାମ ସୁନାନି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଆସିଥିଲେ । ସରକାରୀ ସୁବିଧାରେ ସମସ୍ତ ପ୍ରକାରର ପରୀକ୍ଷା କରାଗଲା । ଯାହାର ସବୁ ଦସ୍ତାବିଜ ଆପଣଙ୍କ ସାମ୍ନାରେ । ହେଲେ ପରବର୍ତ୍ତୀ ସମୟରେ ଚିକିତ୍ସା କରିଥିବା ଡାକ୍ତର ସେମାନଙ୍କୁ ଏକ ଘରୋଇ ହେଲଥ କେୟାର ସେଣ୍ଟରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ସଂପୃକ୍ତ ହେଲଥ କେୟାରରେ ବିଏସକେଓ୍ବାଇରେ ଚିକିତ୍ସା ସୁବିଧା ନଯୋଗାଇ ଟଙ୍କା ଦାବି କରାଯାଇଥିଲା । ରୋଗୀ ସରକାରୀ ଡାକ୍ତରଖାନାକୁ ଯିବାକୁ ଚାହୁଁଥିଲେ ବି ଘରୋଇ ମେଡିକାଲ ମୁଖ୍ୟ ଚାହିଁଲେ ହିଁ ସେ ଯାଇପାରିବେ ବୋଲି ସେଠାକାର ନର୍ସ କହିଥିବା ଷ୍ଟ୍ରିଙ୍ଗ ଅପରେସନରେ ଜଣାପଡ଼ିଛି । ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଏବେ ପୁଣି ଭୀମେଭାଇ ମେଡିକାଲ କଲେଜରେ ଶିଶୁଟିର ଅପରେସନ କରିବାକୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଡାକ୍ତର ।