ଆୟକର ବିଭାଗ ହାତରେ ନାଲି ଫାଇଲ, ରହିଛି ଚାନ୍ଦା ନେଉଥିବାଙ୍କ ନାଁ

1 min read

ବଲାଙ୍ଗୀର : ସୁଦପଡା ଦେଶୀ ମଦଭାଟି ଚଢ଼ାଉ ୫ମ ଦିନରେ ଚାଲିଥିବା ବେଳେ ବଲାଙ୍ଗୀର ଆୟକର ବିଭାଗ ହାତରେ ଲାଗିଛି ଏକ ନାଲି ଫାଇଲି । ଏହି ଟିପା ଖାତାରେ ରହିଛି ମଦ ଭାଟିରୁ ଚାନ୍ଦା ନେଉଥିବା ଏକାଧିକ ଲୋକଙ୍କ ନାଁ । ଦୀର୍ଘ ବର୍ଷ ଧରି ଏହି ଫାଇଲ ପରିଚାଳନା କରୁଥିଲେ ମୁଖ୍ୟ ମ୍ୟାନେଜର ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁ I

ଅନେକ ବଡ଼ବଡ଼ିଆଙ୍କ ସମେତ ଗୁଣ୍ଡା ଶ୍ରେଣୀର ଲୋକ, ବିଭିନ୍ନ ପୂଜା ମଣ୍ଡପ, ମିଡିଲ ମ୍ୟାନ ଓ ଅନେକ ବ୍ୟକ୍ତିଙ୍କ ନାଁ ଏହି ଟିପା ଖାତାରେ ରହିଛି । ଏହି ଲାଲ ଫାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ I ଫାଇଲରେ ବିଭିନ୍ନ ବ୍ୟକ୍ତିଙ୍କୁ ହଜାରେ ଟଙ୍କାରୁ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦିଆଯାଉଥିବା ଉଲ୍ଲେଖ ରହିଛି I ରେଡ୍ ପରେ ଏହି ଫାଇଲ ନେଇ ତଦନ୍ତ ଆରମ୍ଭ କରିବ ଆୟକର ବିଭାଗ I ଲକ୍ଷାଧିକ ଟଙ୍କା ବଟି ନେଉଥିବା ଲୋକଙ୍କୁ ଡାକି ପଚରାଉଚରା କରିବ ଆୟକର ବିଭାଗ । ଟିପା ଖାତା ମିଳିବା ପରେ ଏବେ ଏହାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଆୟକର ବିଭାଗର ଚଢାଉ ୫ମ ଦିନରେ ପହଞ୍ଚି ଥିବା ବେଳେ ଜବତ ଟଙ୍କା ଗଣତି ବି ଜାରି ରହିଛି । ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି ୧୬୪ କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । ୧୦୫ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି ୧୬୦ କୋଟି ଟଙ୍କା ମିଳିଥିବା ଜଣାପଡିଛି । ଆଜି ପୁଣି ଆଉ ୭୧ଟି ବ୍ୟାଗରେ ଥିବା ଟଙ୍କା ଗଣତି ଚାଲିଛି । ଟଙ୍କା ଗଣତିରେ ଲାଗିଛନ୍ତି ୫୦ ଜଣ ବ୍ୟାଙ୍କ କର୍ମଚାରୀ ଓ ୨୫ଟି କାଉଣ୍ଟିଂ ମେସିନ୍ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।