5G ନାଁରେ ଚାଲିଛି ଠକେଇ, ସତର୍କତା ଜାରି କଲା ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ

1 min read

ଭୁବନେଶ୍ବର: ଦେଶରେ ସାଇବର କ୍ରାଇମ ବଢୁଥିବା ବେଳେ 5G ନାମରେ ବି ଚାଲିଛି ଫ୍ରଡ । ଲୋକଙ୍କ ନିକଟରେ 5Gନାମରେ ବିଭିନ୍ନ ଲିଙ୍କ ଓ କଲ୍ ପହଞ୍ଚିବା ସହ ସେମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଛି । ଅଜଣା ବ୍ୟକ୍ତିଙ୍କ ଠାରୁ ଆସୁଥିବା ଫୋନ କଲକୁ ବ୍ଲକ କରିବାର ଅବଶ୍ୟକତା ରହିଛି । କଲ୍‌ ଗୁଡିକୁ ଗ୍ରହଣ କରି ସେହି ଅନୁସାରେ ପଦକ୍ଷେପ ନେଲେ ଠକାମୀର ଶିକାର ହେବାର ଆଶଙ୍କା ରହିଛି । ଏହାକୁ ନେଇ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ପ୍ରଥମେ ସାଇବର ଅପରାଧୀମାନେ ଲୋକଙ୍କ ନିକଟକୁ ସନ୍ଦିଗ୍ଧ କଲ୍ କରିବା ସହ ବିଭିନ୍ନ ସୋସିଆଲ ମିଡିଆ, ଏସଏମଏସ, ହ୍ବାଟସଆପ୍ ଆଦି ଜରିଆରେ ଲିଙ୍କ୍ ପଠାଇଥାନ୍ତି । ଥରେ କଲ୍ ଗ୍ରହଣ କଲେ ବା ଲିଙ୍କ୍ କ୍ଲିକ୍ କଲେ 4Gରୁ 5G ସେବାକୁ ଉନ୍ନୀତ କରିବା ନେଇ ଠକମାନେ ଏସଏମଏସ ପଠାଇଥାନ୍ତି । ଏହି ବାର୍ତ୍ତାଳାପ ସମୟରେ ସେମାନେ କୌଶଳକ୍ରମେ ଓଟିପି ସମେତ ଅନ୍ୟାନ୍ୟ ତଥ୍ୟ ହାସଲ କରିନେଇଥାନ୍ତି ।

ଏଥିଲାଗି ଅଯଥା ଫୋନକଲ ଓ ସନ୍ଦିଗ୍ଦ ଲିଙ୍କକୁ କ୍ଳିକ୍ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କ ଫୋନକୁ ଆସୁଥିବା ସନ୍ଦିଗ୍ଧ ଫୋନକଲ ଗୁଡିକୁ ବ୍ଲକ କରିବା, ଅଜଣା ଓ ଏପରିକି ଜଣାଶୁଣା ଲୋକଙ୍କ ନିକଟରୁ ଆସୁଥିବା ଲିଙ୍କକୁ କ୍ଲିକ ନକରିବା ଲାଗି ପରାମର୍ଶ ଦିଆଯାଇଛି । 5G ସେବା କ୍ଷେତ୍ରରେ କୌଣସି ଟେଲିକମ କମ୍ପାନି ଓଟିପିର ଅବଶ୍ୟକତା କରି ନଥାନ୍ତି । ଆଡଭାନ୍ସଡ ବୁକିଂ ବା ସ୍ପେସାଲ ଅଫର ସଂକ୍ରାନ୍ତରେ ଯେଉଁ ଫୋନ କଲ୍ ବା ଲିଙ୍କ୍ ଆସିବ ତାହାକୁ ସ୍ପାମ କଲ୍ ଭାବେ ଅଗ୍ରାହ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି ।