ପ୍ୟାରିସ ଅଲିମ୍ପିକ୍ସରେ ଖୋଲିଲା ଭାରତର ଖାତା, ସୁଟିଂରୁ ଆସିଲା ପ୍ରଥମ ପଦକ

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଖୋଲିଲା ଭାରତର ଖାତା । ସୁଟିଂରୁ ଆସିଲା ପ୍ରଥମ ପଦକ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ଜିତିଛନ୍ତି ମହିଳା ସୁଟର ମନୁ ଭାକର । ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାତେଇଛନ୍ତି । ୨୨୧.୭ ପଏଣ୍ଟ ସ୍କୋର କରି ସଫଳତା ହାସଲ କରିଛନ୍ତି ମନୁ । ଏହି ବର୍ଗରେ ପଦକ ହାତେଇବାରେ ସେ ପ୍ରଥମ ଭାରତୀୟ ମହିଳା । ପ୍ରଥମ ସିରିଜର ୫ ସୁଟରେ ମନୁ ୩ ଥରରୁ ୧୦ରୁ ଅଧିକ ପଏଣ୍ଟ ସ୍କୋର କରିଥିଲେ । ସମ୍ପୂର୍ଣ୍ଣ ରାଉଣ୍ଡରେ ୩ ନମ୍ବରରୁ ତଳକୁ ଖସିନଥିଲେ ମନୁ । ଗୋଟିଏ ସମୟରେ ସେ ଦୁଇ ନମ୍ବର ରାଙ୍କକୁ ମଧ୍ଯ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ଶେଷ ରାଉଣ୍ଡରେ ଦକ୍ଷିଣ କୋରିଆର କିମ ଭଲ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଥିଲେ । ଆଉ ମନୁ ଭାକର ବ୍ରୋଞ୍ଜ ପଦରେ ସନ୍ତୁଷ୍ଟ ହୋଇଛନ୍ତି । କିମଙ୍କ ସ୍କୋର ୨୪୩.୨ ରହିଥିବାବେଳେ ମନୁ ୨୪୧.୩ ସ୍କୋର ହାସଲ କରିଥିଲେ ।  ମନୁଙ୍କ ଘର ହାଇଦ୍ରାବାଦରେ । ଟୋକିଓ ଅଲିମ୍ପିକ୍ସରେ ମନୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ଯ ଫାଇନାଲରେ ପ୍ରବେଶ କରିପାରିନଥିଲେ । ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ପଦକ ଜିତି ପାରି ନଥିଲେ । ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଲାଭ କରିଛନ୍ତି ।