ସଂସଦ ଭବନରେ ହଙ୍ଗାମା ପ୍ରସଙ୍ଗ: ୮ ସୁରକ୍ଷାକର୍ମୀ ନିଲମ୍ବିତ

1 min read

ନୂଆଦିଲ୍ଲୀ: ସଂସଦ ଭବନ ଭିତରେ ଓ ବାହାରେ ହଙ୍ଗାମା ପ୍ରସଙ୍ଗ । ସୁରକ୍ଷା ତ୍ରୁଟି ଘଟଣାକୁ ନେଇ ଲୋକସଭାର ୮ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏହି ସୁରକ୍ଷାକର୍ମୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ନିଲମ୍ବିତ କରାଯାଇଛି । ସେପଟେ ଲୋକସଭା ଭିତରେ ହଂଗାମା କରିଥିବା ୬ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟୁଏପିଏ । ଏହି ୬ ଜଣଙ୍କ ମଧ୍ୟରେ ରହିଛନ୍ତି ଲୋକସଭା ଭିତରେ ପ୍ରବେଶ କରି ହଳଦିଆ ଧୂଆଁ ଛାଡ଼ିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ , ସଂସଦ ବାହାରେ ହଳଦିଆ ଓ ଲାଲ ଧୂଆଁ ଛାଡିଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ ।

ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଗୁରୁଗ୍ରାମର ଲଳିତ ଝା ଓ ଭିକି ଶର୍ମା । ଅଭିଯୁକ୍ତଙ୍କୁ ଭିକି ଶର୍ମା ଆଶ୍ରୟ ଦେଇଥିବା ଅଭିଯୋଗ ହୋଇଛି । ଏହି ୬ ଜଣ ଯାକ ଅଭିଯୁକ୍ତ ଭଗତ ସିଂ ଫ୍ୟାନ କ୍ଲବ ନାମରେ ଏକ ସୋସିଆଲ ମିଡିଆ ଗ୍ରୁପ ତିଆରି କରି ଯୋଗସୂତ୍ରରେ ରହିଥିଲେ । ସେମାନେ ଦେଢ଼ ବର୍ଷ ତଳେ ମହୀଶୂରରେ ଏହି ଯୋଜନା ତିଆରି କରିଥିଲେ । ଗତ ଜୁଲାଇରେ ସାଗର ଲକ୍ଷ୍ମୌରୁ ଦିଲ୍ଲୀ ଆସିଥିଲା । ଗତ ରବିବାର ଦିନ ଅଭିଯୁକ୍ତମାନେ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ଗୁରୁଗ୍ରାମସ୍ଥିତ ଭିକିଙ୍କ ଘରେ ରହିଥିଲେ । ଏହି ସମସ୍ତ ଅଭିଯୁକ୍ତ ସଂସଦ ଭିତରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ମାତ୍ର ସାଗର ଓ ମନୋରଞ୍ଜନ ପାସ୍ ପାଇଥିଲେ ।  ସାଂସଦ, ଷ୍ଟାଫ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ରହିଥିବା ଗେଟରେ ସିକ୍ୟୁରିଟି ପ୍ରୋଟକଲ ବଦଳାଯିବ । ଏହା ସହ ଚାମ୍ବରକୁ ଯେପରି କେହି ଡେଇଁ ନ ପାରିବେ ସେଥିଲାଗି ଭିଜିଟର୍ସ ଗ୍ୟାଲେରୀରେ କାଚ ଲଗାଯିବ । ସେପଟେ ଲକ୍ଷ୍ମୌସ୍ଥିତ ସାଗରର ଘର ଶୂନଶାନ ରହିଛି । ତାଙ୍କ ଘରେ କେହି ନଥିବା ଦେଖାଯାଇଛି । ତେଣେ ଗୁରୁଗ୍ରାମସ୍ଥିତ ଭିକିର ଘରେ ବି ପୋଲିସ ମାରିଛି ଛାପା । ସାଗର ଶର୍ମା ଲକ୍ଷ୍ମୌରେ ଇ-ରିକ୍ସା ଡ୍ରାଇଭର ଥିବା ସୂଚନା ମିଳିଛି । ସଂସଦର ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର ।