spot_img

Latest Posts

ଦୀର୍ଘ ଏକ ଦଶନ୍ଧି ପରେ ଅଚଳ ସାଟେଲାଇଟକୁ ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’

ନୂଆଦିଲ୍ଲୀ : ଅଚଳ ସାଟେଲାଇଟକୁ କକ୍ଷପଥରୁ ସଫଳ ଭାବେ ଖସାଇଲା ଇସ୍ରୋ  ।  ଅଭିଯାନ ଶେଷ କରି ଅଚଳ ହୋଇଯାଇଥିବା ଏକ ସାଟେଲାଇଟ୍‌କୁ ମଙ୍ଗଳବାର ଦିନ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) କକ୍ଷପଥରୁ ବିଚ୍ୟୁତ କରିବାରେ ସଫଳ ହୋଇଛି।ସାଟେଲାଇଟକୁ ପ୍ରଶାନ୍ତ ମହାସାଗରରେ ଖସାଯାଇଛି ।

ସୂଚନା ଅନୁସାରେ ଅଚଳ ହୋଇଯାଇଥିବା ‘ମେଘା ଟ୍ରଫିକ୍ୟୁଜ୍‌-୧’ ନାମକ ସାଟେଲାଇଟ୍‌ର କକ୍ଷପଥରୁ ବିଚ୍ୟୁତ କରାଯାଇ ଖଣ୍ଡବିଖଣ୍ଡ କରାଯିବା ପରେ ପ୍ରଶାନ୍ତ ମହାସାଗର ଉପର ଆକାଶରେ ପୋଡ଼ି ଦିଆଯାଇଛି । ଏନେଇ ଟୁଇଟ୍‌ କରି ‘ଇସ୍ରୋ’ ଲେଖିଛି, ୨୦୨୩ ମାର୍ଚ ୭ ତାରିଖ ଦିନ ‘ମେଘା-ଟ୍ରପିକ୍ୟୁଜ୍‌-୧’କୁ (ଏମ୍‌ଟି-୧) କକ୍ଷପଥରୁ ନିୟନ୍ତ୍ରଣ ସହ ଅପସାରଣ କରି ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରାଇବାରେ ପରୀକ୍ଷା ସଫଳ ହୋଇଛି।

୨୦୧୧ ଅକ୍ଟୋବର ୧୨ ତାରିଖରେ ‘ମେଘା-ଟ୍ରପିକ୍ୟୁଜ୍‌-୧’କୁ ଲୋ ଆର୍ଥ ଅର୍ବିଟ୍‌ ମଧ୍ୟକୁ ଉତ୍‌କ୍ଷେପଣ କରାଯାଇଥିଲା। ଉଷ୍ମମଣ୍ଡଳୀୟ ପାଣିପାଗ ଓ ଜଳବାୟୁ ଉପରେ ଅଧ୍ୟୟନ କରିବା ଲାଗି ଏହା ଥିଲା ‘ଇସ୍ରୋ’ ଏବଂ ‘ଫ୍ରେଞ୍ଚ୍‌ ସ୍ପେସ୍‌ ଏଜେନ୍‌ସି’ର ମିଳିତ ଅଭିଯାନ। ଏହି ଅଭିଯାନ ୩ ବର୍ଷ ପାଇଁ ଚଳାଇବାକୁ ପ୍ରାରମ୍ଭିକ ଯୋଜନା କରାଯାଇଥିଲା । କିନ୍ତୁ, ଏହା ଦୀର୍ଘ ଏକ ଦଶନ୍ଧି ଧରି ଜଳବାୟୁ ସମ୍ବନ୍ଧରେ ଗରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଣ ଜାରି ରଖିଥିଲା।

ସେପଟେ ‘ୟୁନାଇଟେଡ୍‌ ନେସନ୍‌ସ୍‌ ଇଣ୍ଟର୍‌-ଏଜେନ୍‌ସି ସ୍ପେସ୍‌ ଡେବ୍ରିଜ୍‌ କୋଅର୍ଡିନେସନ୍‌ କମିଟି (ୟୁଏନ୍‌ଆଇଏଡିସି)କୁ  ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରି ଅଭିଯାନ ଶେଷ କରିଥିବା ଉକ୍ତ ‘ସାଟେଲାଇଟ୍‌’କୁ ‘ଇସ୍ରୋ’ ଧ୍ବଂସ କରିଛି। ଜାତିସଂଘ ଗାଇଡ୍‌ଲାଇନ୍‌ ଅନୁସାରେ, କାର୍ୟ୍ୟକାଳ ଶେଷ ହୋଇଥିବା ସାଟେଲାଇଟ୍‌ ସବୁକୁ ନିୟନ୍ତ୍ରଣ ସହକାରେ ନିରାପଦ ଅଞ୍ଚଳ ଦେଖି ବାୟୁମଣ୍ଡଳକୁ ପୁନଃ ପ୍ରବେଶକରାଇ ନଷ୍ଟ କରିବା ଉଚିତ। ସେପଟେ ‘ଇସ୍ରୋ’ କହିଛି, ‘ମେଘା-ଟ୍ରପିକ୍ୟୁଜ୍‌-୧’ରେ ତଥାପି ୧୨୫ କିଲୋ ଇନ୍ଧନ ଥିଲା। ସେତକ ଇନ୍ଧନ ଉକ୍ତ ‘ସାଟେଲାଇଟ୍‌’କୁ ନିୟନ୍ତ୍ରଣ ସହକାରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରାଇବା ପାଇଁ ଯଥେଷ୍ଟ ଥିଲା ।

Latest Posts

Don't Miss