ଖୁବଶୀଘ୍ର ସୂର୍ଯ୍ୟକୁ ମିଶନ ଆରମ୍ଭ କରିବ ଇସ୍ରୋ, ପ୍ରସ୍ତୁତ ହେଲାଣି ଆଦିତ୍ୟ-ଏଲ୧

1 min read

ବେଙ୍ଗାଲୁରୁ: ମୁନ୍ ମିସନ ପରେ ସନ୍ ମିସନ । ଖୁବ୍ ଶୀଘ୍ର ସୂର୍ଯ୍ୟକୁ ମିସନ ଆରମ୍ଭ କରାଯିବ ବୋଲି କହିଛି ଇସ୍ରୋ । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । ମିସନ। ଇସ୍ରୋ ରିପୋର୍ଟରେ କୁହାଯାଇଛି- ବେଙ୍ଗାଳୁରୁସ୍ଥିତ ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ପ୍ରସ୍ତୁତ ହୋଇଥିବା ସାଟେଲାଇଟ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ ପହଞ୍ଚିଛି । ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୧ ଲଞ୍ଚ ହୋଇପାରେ ।

ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଥିବା ହାଲୋ ଅରବିଟରେ ଏହାକୁ ଅବସ୍ଥାନ କରାଯିବ । ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ଯାନକୁ ଅବସ୍ଥାପିତ କରାଯିବ । ଏଲ୧ ପଏଣ୍ଟରେ ଅବସ୍ଥାନ କରାଗଲେ ଧାରାବାହିକ ଭାବେ ସୂର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇପାରିବ । ସାଟେଲାଇଟରେ ସାତଟି ପେ-ଲୋଡ ରହିବ ।

ସୌରଦେଶର ଫଟୋସ୍ଫିହର, କ୍ରୋମୋସ୍ଫିହର ଓ ଆଉଟର ଲେୟାରକୁ ଇଲେକ୍ଟ୍ରୋମାଗ୍ନେଟିକ ଓ ପାର୍ଟିକଲ ତଥା ମାଗ୍ନେଟିକ ଫିଲ୍ଡ ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯାଇପାରିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ ବା ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ।